ପାରାଦୀପ: ଛଟେଇ ଅଭିଯୋଗରେ ପାରାଦୀପ ଫସଫେଟ୍ ଲିମିଟେଡ୍ ପ୍ଲାଣ୍ଟର କର୍ମଚାରୀ ଧାରଣାକୁ ଓହ୍ଲାଇଛନ୍ତି । ପିପିଏଲ ମୁଖ୍ୟ ଫାଟକସମ୍ମୁଖରେ ଶହ ଶହ ଶ୍ରମିକ ଗୁରୁବାର ସକାଳୁ ଆନ୍ଦୋଳନ କରିଛନ୍ତି । ସେମାନଙ୍କୁ ଦୀର୍ଘ ଦିନ ହେଲା ପ୍ଲାଣ୍ଟ ଭିତରକୁ ଛଡ଼ା ଯାଉନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଗେଟ୍ ପାସ୍ ର ଅବଧି ଶେଷ ହୋଇଯାଇଥିବାନେଇ କହିଛନ୍ତି ପ୍ଲାଣ୍ଟର ମାନବ ସମ୍ବଳ ଅଧିକାରୀ ଶୁଭେନ୍ଦୁ ବିଶ୍ୱାଳ ।
ପିପିଏଲ ମୁଖ୍ୟ ଫାଟକ ସମ୍ମୁଖରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ଧାରଣାକୁ ଓହ୍ଲାଇଛନ୍ତି । ସେମାନଙ୍କୁ ୧୨ଦିନ ହେବ ମେକାନିକାଲ କର୍ମଚାରୀଙ୍କ ଗେଟ୍ ପାସ୍ ବନ୍ଦ କରିଦେଇଛି କମ୍ପାନୀ । ଫଳରେ ସେମାନେ ଆଉ କାମ କରିବାକୁ ଯାଇ ପାରୁ ନାହାଁନ୍ତି । କିଛି ନୋଟିସ୍ ନ ଦେଇ ଏଭଳି ଛଟେଇ କରାଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ଶ୍ରମିକ । ଯଦ୍ୱାରା ସେମାନେ କାମକୁ ଯାଇ ପାରୁନାହାଁନ୍ତି ଏବଂ ପରିବାର ଲୋକ ବି ଅଭାବର ଶୀକାର ହୋଇଥିବା ଶ୍ରମିକମାନେ କହିଛନ୍ତି ।
ସେପଟେ ଭୋର ୪ଟାରୁ ଶ୍ରମିକମାନେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବା ଯୋଗୁଁ କେହି ଭିତରକୁ ଯାଇ ପାରୁ ନାହାଁନ୍ତି । ଫଳରେ ବହୁ ଯାନବାହାନ ଏବଂ ଅନ୍ୟକର୍ମଚାରୀ ବାହାରେ ଛିଡ଼ା ହୋଇ ରହିଛନ୍ତି । ଏମିତିକ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ଅନ୍ୟପକ୍ଷରେ ପ୍ଲାଣ୍ଟର ମାନବ ସମ୍ବଳ ଅଧିକାରୀ ଶୁଭେନ୍ଦୁ ବିଶ୍ୱାଳ କହିଛନ୍ତି ଯେ ଶ୍ରମିକ ଏବଂ କଣ୍ଟ୍ରାକ୍ଟରଙ୍କ ମଧ୍ୟରେ କିଛି ଅସୁବିଧାକୁ ନେଇ ଗେଟ୍ ପାସ୍ କରାଯାଇ ନାହିଁ । ମ୍ୟାନେଜମେଣ୍ଟ୍ ତରଫରୁ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ଶ୍ରମିକମାନଙ୍କ ଅଭିଯୋଗ ଶୁଣା ଯାଇଛି, ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।