ସୁନ୍ଦରଗଡ଼: ଲୁଟ୍ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଗର୍ଭବତୀ ମହିଳା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟିକାୟତ ପାଲି ଥାନା ଅନ୍ତର୍ଗତ ଜର୍ଡାପାଲି ଗ୍ରାମରେ । ମୃତ ମହିଳା ଜଣକ ହେଲେ ଦେବେନ ବେହେରାଙ୍କ ଗର୍ଭବତୀ ସ୍ତ୍ରୀ ସୌମ୍ୟାମୟୀ ବେହେରା (୩୦)। ସେ ୭ ମାସର ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତି ପ୍ରାୟ ଗୋଟାଏବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଦେବେନ ବେହେରାଙ୍କ ଘର କବାଟ ବାଡ଼େଇଥିଲେ । ଏହି ସମୟରେ ତାଙ୍କ ପତ୍ନୀ ସୌମ୍ୟାମୟୀ ଆସି କବାଟ ଖୋଲିଥିଲେ । କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ସୁନା ଝାମ୍ପି ନେବାକୁ ଉଦ୍ୟମ କରିଥିଲେ । ସୌମ୍ୟାମୟୀ ଚିତ୍କାର କରିବାରୁ ଦେବେନ ମଧ୍ୟ ଦୌଡ଼ିକି ଆସିଥିଲେ । ମାତ୍ର ଲୁଟେରାମାନେ ସୌମ୍ୟାମୟୀଙ୍କୁ ଗଳି କରି ଫେରାର ହୋଇଯାଇଥିଲେ । ତାଙ୍କ ଛାତିର ବାମ ପାର୍ଶ୍ୱରେ ଗୁଳି ବାଜିଥିଲା ।
ଦେବେନ ଓ ପଡ଼ୋଶୀ ମିଶି ସୌମ୍ୟାଙ୍କୁ ବଣାଇ ସବ୍ ଡିଭିଜନାଲ ମେଡ଼ିକାଲକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏ ନେଇ ଟିକାୟତ ପାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଏତେ ରାତିରେ ଯଦି କେହି କବାଟ ବାଡ଼େଇଥିଲା ତେବେ ପରିବାର ଲୋକ ନ ଉଠି କଣ ପାଇଁ ସୌମ୍ୟା କବାଟ ଖୋଲିବାକୁ ଆସିଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ତାଙ୍କ ସ୍ୱାମୀ କି ପରିବାରର ଅନ୍ୟ ସଦସ୍ୟ କାହିଁକି କବାଟ ଖୋଲି ନ ଥିଲେ । ଏମିତି ତମାମ ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।