କଟକ: ରାଜ୍ୟର ସରକାରୀ ମେଡିକାଲ ଗୁଡିକରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଘଟଣାରେ ଚଞ୍ଚଲ୍ୟ ତଥ୍ୟ ସାମ୍ନାକୁ ଆସିଛି । ମେଡିକାଲରେ ଚାକିରୀ ଦେବା ନାଁ କହି ଗତ ଦୁଇ ମାସରେ ୮୨ ଜଣ ଲୋକଙ୍କ ଠାରୁ ଠକେଇ ହୋଇଛି ୨୮ ଲକ୍ଷ ଟଙ୍କା । ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୫ରେ ପହଁଚି ସାରିଥିବାବେଳେ ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା କହିଛି ପୋଲିସ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମିନା ।
ଚାକିରି ଠକେଇ ଅଭିଯୋଗରେ ଦଲାଲ ଭ୍ରାତା ଅର୍ଜିତ ମହାନ୍ତି ଏବଂ ଅର୍ପିତ ମହାନ୍ତିଙ୍କ ସହ ପୂର୍ଵରୁ ୩ ଜଣ ଗିରଫ ହୋଇଥିବା ବେଳେ ମଙ୍ଗଳବାର ଦିନ ଆଉ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ଅଭିଯୁକ୍ତ ଦ୍ଵୟ ହେଲେ ଦେବାଶିଷ ଦାସ ଓ ଅକ୍ଷୟ ପ୍ରଧାନ । ବଡ଼ କଥା ହେଉଛି କି ଅଭିଯୁକ୍ତମାନେ ହେଉଛନ୍ତି ଏସ୍ସିବିରେ ନିୟୋଜିତ ଘରୋଇ ଠିକା ସଂସ୍ଥାର ଦୁଇ ଜଣ କର୍ମଚାରୀ ।
ପୂର୍ଵରୁ ଗିରଫ ହୋଇ ଥିବା ଦଲାଲ ଭ୍ରାତା ଅର୍ଜିତ ଏବଂ ଅର୍ପିତଙ୍କ ପାଇଁ କାମ କରୁଥିଲେ ଦେବାଶିଷ ଓ ଅକ୍ଷୟ । ଏସସିବିରେ ଚାକିରୀ କରାଇ ଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକିଥିବା ଜଣାପଡ଼ିଛି । ଦଲାଲ ଭ୍ରାତା ଅର୍ଜିତ୍ ଏବଂ ଅର୍ପିତଙ୍କ ଇଙ୍ଗିତରେ ଦେବାଶିଷ ଓ ଅକ୍ଷୟ ଏହି ଠକେଇ କରିଥିବା ଜଣା ପଡିଛି ।
ଏହି ଦଲାଲମାନେ ଏସସିବି ମେଡ଼ିକାଲରେ ଆଟେଣ୍ଡାଣ୍ଟ୍ , ସୁରକ୍ଷାକର୍ମୀ , ସଫେଇ କର୍ମୀ , ଲିଫ୍ଟ ଅପରେଟର, ଡାଟା ଏଣ୍ଟ୍ରି ଅପରେଟର, ଲ୍ୟାବ ଟେକ୍ନିସିଆନ୍ ଓ ନର୍ସିଂ ଅଫିସର ପଦ ଚାକିରୀ କରାଇ ଦେବାକୁ କହି ଠକେଇ କରୁଥିଲେ । କଟକରେ ଏକ କନସଲଟାନ୍ସି ଫାର୍ମ ଖୋଲି ଆଶାୟୀଙ୍କ ଠାରୁ ଟଙ୍କା ନେଇ ସେମାନଙ୍କୁ ବାଣ୍ଟୁ ଥିଲେ ଜାଲ ନିଯୁକ୍ତି ପତ୍ର । ଆଉ ନିଯୁକ୍ତି ପତ୍ରରେ ଥିଲା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଏସସିବି ମେଡିକାଲ କର୍ତ୍ତୃପକ୍ଷ, ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ଭଳି ଅନେକ ବିଭାଗର ସିଲ ସହିତ ଅଧିକାରୀ ଓ ଡାକ୍ତରମାନଙ୍କର ଜାଲ ଦସ୍ତଖତ ।
ସେପଟେ ଠିକା ନିଯୁକ୍ତି ପାଉଥିବା ପଦବୀକୁ ସମ୍ପୂର୍ଣ୍ଣ ଭାବେ ଆଉଟ ସୋର୍ସ କରାଯାଇଛି ଏବଂ ଯଦି ଆଉଟ ସୋର୍ସିଂ କରୁଥିବା ସଂସ୍ଥା କାହାଠାରୁ ଅର୍ଥ ନେଇଥିବ ସେଥିରେ ଏସସିବିର କୌଣସି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସସିବି ମେଡ଼ିକାଲ କର୍ତ୍ତୃପକ୍ଷ । ତେବେ ଗିରଫ ହୋଇ ଥିବା ଠିକା କର୍ମଚାରୀଙ୍କୁ ଏସସିବିରେ ନିଯୁକ୍ତି ଦେଇଥିବା ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି କହିଛନ୍ତି ଏସସିବି କର୍ତ୍ତୃପକ୍ଷ ।