ଆଡିଲେଡ୍: ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ପର୍ଥରେ ପରାକ୍ରମୀ ପ୍ରଦର୍ଶନ କରିଥିବା ଭାରତୀୟ କ୍ରିକେଟ୍ ଦଳ ଆଡିଲେଡ୍ରେ ଅପ୍ରତ୍ୟାଶିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଘରୋଇ ଦଳ ଠାରୁ ବୃହତ୍ ବ୍ୟବଧାନରେ ପରାସ୍ତ ହୋଇଛି। ଭାରତ ପ୍ରଥମ ପାଳିରେ ୧୮୦ ରନ୍ ଓ ଦ୍ବିତୀୟ ପାଳିରେ ରବିବାର ତୃତୀୟ ଦିନରେ ୧୭୫ ରନ୍ରେ ଅଲ୍ଆଉଟ୍ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୩୭ ରନ୍ କରିଥିବାରୁ ଆଡିଲେଡ୍ ଟେଷ୍ଟ ବିଜୟ ପାଇଁ ଦ୍ବିତୀୟ ପାଳିରେ ମାତ୍ର ୧୯ ରନ୍ ଦରକାର କରିଥିଲା। କଙ୍ଗାରୁ ଟିମ୍ ଦ୍ବିତୀୟ ପାଳିରେ ମାତ୍ର ୩.୨ ଓଭର ଖେଳି କୌଣସି ୱିକେଟ୍ ନହରାଇ ୧୯ ରନ୍ ସଂଗ୍ରହ କରିବା ସହିତ ମ୍ୟାଚ୍ରେ ବିଜୟୀ ହୋଇଛି।
ଆଡିଲେଡ୍ ଟେଷ୍ଟରେ ଭାରତୀୟ କ୍ରିକେଟ୍ରମାନେ ବହୁତ ଖରାପ ପ୍ରଦର୍ଶନ କରିଛନ୍ତି। ଯୁବ ବ୍ୟାଟର ନିତିଶ କୁମାର ରେଡ୍ଡୀଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ଅତି ନୈରାଶ୍ୟଜନକ ମନେ ହୋଇଛି। ନିତିଶ ରେଡ୍ଡୀ ୪୭ଟି ବଲ୍ ଖେଳିଥିଲେ। ସେ ୬ଟି ଚୌକା ଓ ଗୋଟଏ ଛକା ମାଧ୍ୟମରେ ୪୨ ରନ୍ ସଂଗ୍ରହ କରିଥିଲେ। ଯୁବ ବ୍ୟାଟର ଶୁବମନ ଗିଲ ଓ ଋଷଭ ପନ୍ତ ୨୮-୨୮ ରନ୍ ସଂଗ୍ରହ କରିଥିଲେ। ଅଭିଜ୍ଞ ବ୍ୟାଟର ବିରାଟ କୋହଲି ୧୧ ରନ୍ ଓ ରୋହିତ ଶର୍ମା ମାତ୍ର ୬ ରନ୍ କରି ପାଭିଲଅନକୁ ଫେରିଥିଲେ। ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ୨୪ ରନ୍ କରିଥିବା ବେଳେ କେଏଲ୍ ରାହୁଲଙ୍କ ବ୍ୟାଟ୍ରୁ ମାତ୍ର ୭ ରନ୍ ଅମଳ ହୋଇଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପେଟ୍ କମିନ୍ସ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ସେ ୧୪ ଓଭର ବୋଲିଂ କରିଥିଲେ। ୫୭ ରନ୍ ଖର୍ଚ୍ଚ କରିଥିଲେ। ବୋଲାନ୍ଦଙ୍କୁ ୩ଟି ଓ ମିଚେଲ ଷ୍ଟାର୍କଙ୍କୁ ୨ଟି ସଫଳତା ମିଳିଥିଲା।
ଭାରତ ପାଇଁ ସବୁବେଳେ ମୁଣ୍ଡବ୍ୟଥାର କାରଣ ହୋଇଆସିଥିବା ଟ୍ରାଭିଡ୍ ହେଡ୍ଙ୍କ ଦ୍ରୁତ ଓ ଦମ୍ଦାର ଶତକ (୧୪୦ ରନ୍, ୧୪୧)ରେ ଅଷ୍ଟ୍ରେଲିଆ ସୁଦୃଢ଼ ହେବା ପରେ ନବାଗତ ସ୍କଟ୍ ବୋଲାଣ୍ଡ (୨/୩୯) ଓ ଦୁର୍ଦ୍ଧର୍ଷ ପ୍ୟାଟ୍ କମିନ୍ସ (୨/୩୩)ଙ୍କ ଘାତକ ସ୍ପେଲ୍ରେ ଘାଇଲା ହୋଇଥିଲା ଭାରତ। ହେଡ୍ଙ୍କ ରେକର୍ଡଭରା ପାଳି ବଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୩୭ ରନ୍ କରି ନେଇଥିଲା। ଫଳରେ ଭାରତର ପ୍ରଥମ ପାଳି ସ୍କୋର୍ (୧୮୦)ଠାରୁ ୧୫୭ ରନ୍ରେ ଆଗୁଆ ରହିଥିଲା। ପୁଣି ଶନିବାର ଦ୍ବିତୀୟ ଦିନର ଷ୍ଟମ୍ପ୍ସ ବେଳକୁ ମାତ୍ର ୧୨୮ ରନ୍ରେ ଭାରତର ୫ଟି ୱିକେଟ୍ ଝାଡ଼ି କଙ୍ଗାରୁ ଦଳ ଡ୍ରାଇଭର୍ ସିଟ୍ରେ ବସି ଯାଇଥିଲା। ହାତରେ ଆଉ ୫ ୱିକେଟ୍ ଥିଲା ବେଳେ ଭାରତ ଏବେବି ୨୯ ରନ୍ରେ ପଛୁଆ ରହିଥିଲା।
ଅଧିକ ପଢ଼ନ୍ତୁ: ଯେଉଁ ଜାମା ମସଜିଦ୍ର ସର୍ଭେ ବେଳେ ହିଂସାକାଣ୍ଡ ଘଟିଛି