ଆଡିଲେଡ: ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରା ନିଜର ବୋଲିଂ ବଳରେ କ୍ରିକେଟ୍ ଦୁନିଆରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ବୁମରା ସଂପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ନିଜର ଶାଣିତ ବୋଲିଂ ବଳରେ କଙ୍ଗାରୁ ବ୍ୟାଟରଙ୍କ ନିଦ ଉଡାଉଛନ୍ତି । ପର୍ଥରେ ଧମାଲ କରିବା ପରେ ଆଡିଲେଡରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ମଧ୍ୟ କଙ୍ଗାରୁ ବ୍ୟାଟରଙ୍କୁ ଅକଳରେ ପକାଇଛନ୍ତି । ବୁମରା ଷ୍ଟିଭ୍ ସ୍ମିଥଙ୍କୁ ପାଭିଲିୟନ ପଠାଇ କ୍ରିଜରେ ଅଧିକ ସମୟ ତିଷ୍ଠିବାକୁ ଦେଇ ନାହାନ୍ତି ।
ବୁମରା ଅଷ୍ଟ୍ରେଲିଆ ଇନିଂସର ୪୧ତମ ଓଭରର ପ୍ରଥମ ବଲରେ ସ୍ମିଥଙ୍କୁ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ କରାଇ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ଏହା ସହିତ ବୁମରା ୩୫ ବର୍ଷୀୟ ଷ୍ଟିଭ୍ ସ୍ମିଥଙ୍କ ବିପକ୍ଷରେ ଏକ ଦମଦାର ରେକର୍ଡ କରିଛନ୍ତି । ସ୍ମିଥଙ୍କୁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟରେ ତିନି ଥର ଆଉଟ କରିବାରେ ଦୁନିଆର ପ୍ରଥମ ବୋଲର ପାଲଟିଛନ୍ତି । ବୁମରା ପର୍ଥ ଟେଷ୍ଟରେ ସ୍ମିଥଙ୍କୁ ଗୋଲଡେନ ଡକରେ ଆଉଟ୍ କରିଥିଲେ ।
ବୁମରା ପର୍ଥ, ଆଡିଲେଡ୍ ବ୍ୟତୀତ ସ୍ମିଥଙ୍କୁ ମେଲବର୍ଣ୍ଣରେ ମଧ୍ୟ ଶିକାର କରିଥିଲେ । ୨୦୨୦ରେ ଏମସିଜିରେ ମାତ୍ର ୮ ରନ କରିଥିବା ବେଳେ ଏହି କଙ୍ଗାରୁ ବ୍ୟାଟରଙ୍କୁ ଆଉଟ୍ କରିଥିଲେ ବୁମରା । ଏହା ପୂର୍ବରୁ ସ୍ମିଥଙ୍କୁ ଅଷ୍ଟ୍ରେଲିଆ ମାଟିରେ ଦୁଇ ଥର ଆଉଟ୍ କରିଥିଲେ ରବିଚନ୍ଦ୍ରନ ଅଶ୍ୱିନ । ଏହି ମ୍ୟାଚରେ ବୁମରା ଉସ୍ମାନ ଖ୍ୱାଜା(୧୩), ନାଥନ ମ୍ୟାକସ୍ୱିନି(୩୯) ଓ ଷ୍ଟିଭ ସ୍ମିଥ(୨)ଙ୍କୁ ଆଉଟ୍ କରିଛନ୍ତି ।