ନୂଆଦିଲ୍ଲୀ: ଭାରତୀୟ ଦଳ ସଂପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଖେଳୁଛି । ପର୍ଥ ଟେଷ୍ଟ ଜିତିବା ପରେ ଆଡିଲେଡରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ଲଜ୍ଜାଜନକ ପରାଜୟ ଭୋଗିଛି । ଏବେ ତୃତୀୟ ଟେଷ୍ଟ ଡିସେମ୍ବର ୧୪ରେ ବ୍ରିସବେନରେ ଖେଳାଯିବ । ଆଉ ନୂଆ ବର୍ଷରେ ମଧ୍ୟ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ରହିବ । ଭାରତୀୟ ଦଳର ନୂଆ ବର୍ଷର ଆରମ୍ଭ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରୁ ଆରମ୍ଭ ହେବ । କିନ୍ତୁ ୨୦୨୫ର ପ୍ରଥମ ଦିନିକିଆ ଓ ପ୍ରଥମ ଟି-୨୦ ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ । ୨୦୨୪ରେ ଶେଷ ମ୍ୟାଚ୍ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମେଲବର୍ଣ୍ଣରେ ଖେଳାଯିବ । ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ । ଏହା ଭାରତୀୟ ଦଳ ପାଇଁ ୨୦୨୫ର ପ୍ରଥମ ମ୍ୟାଚ୍ ହେବ । ବର୍ଡର-ଗାଭାସ୍କର ସିରିଜ୍ ପରେ ଭାରତୀୟ ଦଳର ମୁକାବିଲା ଇଂଲଣ୍ଡ ସହ ରହିଛି ।
ଇଂଲଣ୍ଡ ଦଳ ଆସନ୍ତାବର୍ଷ ଜାନୁଆରୀରେ ଭାରତ ଗସ୍ତରେ ଆସିବ । ଏହି ଗସ୍ତରେ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚର ଟି-୨୦ ସିରିଜ ଖେଳାଯିବ । ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ତେବେ ଭାରତୀୟ ଦଳର ମୁଖ୍ୟ ଫୋକସ ଏବେ ବର୍ଡର-ଗାଭାସ୍କର ଟ୍ରଫି ଉପରେ ରହିଛି । ଦଳ ଆଗାମୀ ତିିନି ମ୍ୟାଚ୍ ଜିତିବାରେ ସଫଳ ହୁଏ ତେବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବ । ସିରିଜ୍ ହାରିଲେ ଦଳର ଫାଇନାଲ୍ ଖେଳିବା ଆଶା ସ୍ୱପ୍ନରେ ରହିଯିବ ।
ଭାରତୀୟ ଦଳର ନୂଆ ବର୍ଷର ସିଡ୍ୟୁଲ
ଭାରତ ବନାମ ଅଷ୍ଟ୍ରେଲିଆ- ପଞ୍ଚମ ଟେଷ୍ଟ, ସିଡନୀ, ଜାନୁଆରୀ ୩ରୁ୭
ଭାରତ ବନାମ ଇଂଲଣ୍ଡ- ପ୍ରଥମ ଟି-୨୦, ଜାନୁଆରୀ ୨୨
ଭାରତ ବନାମ ଇଂଲଣ୍ଡ ଟି-୨୦ ସିରିଜ୍
ପ୍ରଥମ ଟି-୨୦- ଜାନୁଆରୀ ୨୨
ଦ୍ୱିତୀୟ ଟି-୨୦- ଜାନୁଆରୀ ୨୫
ତୃତୀୟ ଟି-୨୦- ଜାନୁଆରୀ ୨୮
ଚତୁର୍ଥ ଟି-୨୦- ଜାନୁଆରୀ ୩୧
ପଞ୍ଚମ ଟି-୨୦- ଫେବୃଆରୀ ୨
ଭାରତ ବନାମ ଇଂଲଣ୍ଡ ଦିିନିକିଆ ସିରିଜ୍
ପ୍ରଥମ ଦିନିକିଆ- ଫେବୃଆରୀ ୬
ଦ୍ୱିତୀୟ ଦିନିକିଆ- ଫେବୃଆରୀ ୯
ତୃତୀୟ ଦିନିକିଆ- ଫେବୃଆରୀ ୧୨