ଅହମ୍ମଦାବାଦ: ଦୀର୍ଘ ୧୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଚାମ୍ପିଅନ ହେବାର ସ୍ୱାଦ ଚାଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆଉ ଆଇପିଏଲକୁ ମିଳିଲା ନୂତନ ଚାମ୍ପିଅନ । ବିରାଟ କୋହଲିଙ୍କ ଟ୍ରଫି ଜିତିବାର ସ୍ୱପ୍ନ ପୂରଣ ହେଲା । ଗତ ୩ ଥର ଫାଇନାଲରେ ମିଳିଥିବା ପରାଜୟର ଗ୍ଲାନି ଆଜି ଦୂର ହେଲା । ଆଇପିଏଲ୍ ୨୦୨୫ର ଫାଇନାଲ୍ ମ୍ୟାଚରେ ବେଙ୍ଗାଲୁରୁ ୬ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇ ୧୮ତମ ସଂସ୍କରଣରେ ଚାମ୍ପିଅନ ହୋଇଛି । ଦଳ ନିଜ ଉପରେ ଲାଗିଥିବା ଚୋକର୍ସ ଟ୍ୟାଗକୁ ହଟାଇବାରେ ସଫଳ ହୋଇଛି । ଆରସିବି ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲା । ତାଠୁ ଅଧିକ ଚାତକ ପରି ଅପେକ୍ଷା କରି ରହିଥିଲେ ବିରାଟ କୋହଲି । ଶେଷରେ ସେହି ସମୟ ଉପ୍ନନୀତ ହୋଇଛି ଆଉ ଆରସିବି ଖାତାକୁ ଆସିଛି ଆଇପିଏଲ ଟାଇଟଲ । ଅନ୍ୟପଟେ ଦ୍ୱିତୀୟ ଥର ଫାଇନାଲ୍ ଖେଳିଥିବା ପଞ୍ଜାବର ପ୍ରଥମ ଥର ଟ୍ରଫି ଜିତିବାର ସ୍ୱପ୍ନ ଧୂଳିସାତ ହୋଇଛି ।
ଟାଇଟଲ୍ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୯ ୱିକେଟ୍ ହରାଇ ୧୯୦ ରନ କରିଥିଲା । ଜବାବରେ ପଞ୍ଜାବ ୭ ୱିକେଟ୍ ହରାଇ ୧୮୪ ରନ କରି ପାରିଥିଲା । ଶଶାଙ୍କ ସିଂ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ହେଁ ଦଳକୁ ଜିତାଇ ପାରି ନ ଥିଲେ । ସେ ୩୦ ବଲରୁ ୬୧ ରନ କରିଥିଲେ । ଅନ୍ୟ ବ୍ୟାଟରଙ୍କ ବିଫଳ ହୋଇଥିଲେ । ଫଇନାଲ୍ ମ୍ୟାଚରେ ଆରସିବି ପକ୍ଷରୁ ବିରାଟ କୋହଲି ସର୍ବାଧିକ ୪୩ ରନ କରିଥିଲେ । ବାକି ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ଆରସିବି ୧୯୦ ରନ କରି ପାରିଥିଲା । ତେବେ ଆରସିବି ବିଜୟରେ ଆଜି ବୋଲର ପ୍ରମୁଖ ଭୂମିକା ନିଭାଇଛନ୍ତି । କୃଣାଲ ପାଣ୍ଡ୍ୟା ୪ ଓଭରରେ ମାତ୍ର ୧୭ ରନ ଦେଇ ୨ଟି ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ମଧ୍ୟ ୨ଟି ୱିକେଟ୍ ନେଇଛନ୍ତି ।
୧୯୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବକୁ ଭଲ ଆରମ୍ଭ ଦେଇଥିଲେ ଓପନର ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂ । ଉଭୟ ପ୍ରଥମ ୱିକେଟ ପାଇଁ ୪୩ ରନ ଯୋଡିଥିଲେ । ପ୍ରିୟାଂଶ ୨୪ ରନ କରି ଆଉଟ୍ ହୋଇଥିବା ବେଳେ ପ୍ରଭସିମରନ କ୍ରିଜରେ ସେଟ୍ ହେବା ପରେ ବି ୨୬ ରନ କରି ପାଭିଲିୟନ ଫେରିଥିଲେ । ତେବେ ଅଧିନାୟକ ଶ୍ରେୟସ ଆୟର(୧ ରନ) ଆଉଟ୍ ହେବା ପଞ୍ଜାବକୁ ଶକ୍ତ ଝଟକା ଲାଗିଥିଲା । ଦଳର ବିଜୟ ଆଶାକୁ ଧକ୍ଲା ଲାଗିଥିଲା । ତେବେ ଜୋଶ ଇଙ୍ଗଲିଶ କ୍ରିଜରେ ଥିବା ପର୍ଯ୍ୟନ୍ତ ଆଶା ଉଜ୍ଜିବୀତ ରଖିଥିଲେ । ସେ ୨୩ ବଲରୁ ୩୯ ରନ କରି ଆଉଟ୍ ହେବା ଦଳର ବିଜୟ ସମ୍ଭାବନା କମ କରିଥିଲା ।
ନେହଲ ୱେଧରା ୧୫ ରନ କରି ବିଫଳ ହୋଇଥିଲେ । ତେବେ ଶଶାଙ୍କ ସିଂ ଏକାକୀ ସଂଘର୍ଷ କରିଥିଲେ ହେଁ ଦଳ ପାଇଁ ତାହା ପର୍ଯ୍ୟାପ୍ତ ନ ଥିଲା । ମାର୍କସ ଷ୍ଟୋଇନିସ(୬ ରନ) ସବୁଠୁ ଅଧିକ ନିରାଶ କରିଥିଲେ । ଶଶାଙ୍କ ୩୦ ବଲରୁ ୩ ଚୌକା ଓ ୬ ଛକା ସହ ୬୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା । ଶେଷରେ ପଞ୍ଜାବ ୭ ୱିକେଟ ହରାଇ ୧୮୪ ରନ କରି ପାରିଥିଲା ।