ମୟୁରଭଞ୍ଜ: ଖରିଫ ଧାନ ଚୋରା ଚାଲାଣ ରୋକିବାକୁ ରାସ୍ତା ସିଲ୍ କରିବାକୁ ନିଷ୍ପତ୍ତି ନେଇଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାରେ ତିଆରି ହେବ ଅସ୍ଥାୟୀ ଚେକ୍ ପୋଷ୍ଟ ଏ ନେଇ ଜିଲ୍ଲାପାଳ ଏସପିଙ୍କୁ ଚିଠି ଲେଖିଛନ୍ତି ।
ଜିଲ୍ଲାପାଳଙ୍କ ଚିଠି ନମ୍ବର ୫୭୪୩ରେ ଚେକ୍ ପୋଷ୍ଟ ତିଆରି କରିବାକୁ ନିର୍ଦ୍ଦେଶ ରହିଛି । ଜିଲ୍ଲାପାଳ କହିଛନ୍ତି ବର୍ତ୍ତମାନ ଖରିଫ ଧାନ ସଂଗ୍ରହ ଜାରି ରହିଛି । ଏହି ସମୟ ସୀମାବର୍ତ୍ତୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟକୁ ଧାନ ଚୋରା ଚାଲାଣ ହେବାର ସମ୍ଭାବନା ରହିଛି । ଏହି ବେଆଇନ ପରିବହନକୁ ରୋକିବାକୁ ଏହି ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ଟୁକପଳାସିଆର ପଳାସମୁଣ୍ଡଳି ଓ ଜାମଶୋଳା ନିକଟସ୍ତ ସିରସା, ନନ୍ଦବସାର ଦେଉଳି, ବନ୍ଦଭର ଚଣ୍ଡୁଆ, ଯଦୁନାଥପୁର ତିରିଙ୍ଗ ଏବଂ ତିରିଙ୍ଗ, ବାହଳଦା ନନ୍ଦବସା ଓ ଭାଲୁପାଣି ଏବଂ ରରୁଁଆ-ବେଣୀସାଗର ଓ ଚିରୁହାଟୁ ନିକଟରେ ଅସ୍ଥାୟୀ ଚେକ୍ ପୋଷ୍ଟ ସଞ୍ଚାଳନ କରିବାକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ଏହି ସମସ୍ତ ସ୍ଥାନରେ ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଲଗାଯାଇଥିଲା ।