ଗଞ୍ଜାମ: ରାଜ୍ୟରେ ସମ୍ପ୍ରତି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ତା ସହିତ ଘନ କୁହୁଡ଼ିରେ ରାସ୍ତା ଘାଟ ଦୃଶ୍ୟମାନ ହେଉନି । ସକାଳୁ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଛି । ପ୍ରବଳ ଶୀତର ଲହରିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଶନିବାର ହେଉଥିବା ସକାଳୁଆ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଗଞ୍ଜାମ ଜିଲ୍ଲୀ ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଛନ୍ତି । ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୫୮୩୦ ଅନୁଯାୟୀ ଚଳିତ ସପ୍ତାହରୁ ଜିଲାର ଶନିବାର ସକାଳୁଆ ପାଠାପଢ଼ା ହେବନି । ଏହା ବଦଳରେ ଅନ୍ୟ ଦିନମାନଙ୍କ ଭଳି ସକାଳ 10ଟାରୁ ଅପରାହ୍ନ 4ଟା ଯାଏ ସ୍କୁଲ ଚାଲିବ । ଛାତ୍ର ଛାତ୍ରୀଙ୍କ ଶ୍ରେଣୀ ଶିକ୍ଷା ଦାନ ସମୟ ଓ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ଶିକ୍ଷା ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଡିଇଓ ସୂଚନା ଦେଇଛନ୍ତି।