କଟକ: ଦୁଷ୍କର୍ମର ଶୀକାର ହୋଇଥିବା ଜଣେ ନାବାଳିକା ଛାତ୍ରୀ ମା ହୋଇଛନ୍ତି । କଟକ ପ୍ରତାପନଗରୀରେ ଏକ ଘରୋଇ ହସ୍ପିଟାଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଶିଶୁ ମଙ୍ଗଳ ଅଧିକାରୀ ଘଟଣା ସମ୍ପର୍କରେ ଅବଗତ ହେବା ପରେ ହସ୍ପିଟାଲରେ ଚଢ଼ଉ କରି ମା ଓ ଶିଶୁଙ୍କୁ ଉଦ୍ଧାର କରିଛି ।
କିଛି ମାସ ତଳେ କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଛାତ୍ରୀ ବିଦ୍ୟାଳୟ ଛୁଟି ହେବା ପରେ ସାଇକେଲ୍ରେ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ଭୟରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କିଛି ଜଣାଇନଥିଲେ । ପରବର୍ତ୍ତୀ ସମୟରେ ଛାତ୍ରୀ ଜଣକ ଧିରେ ଧିରେ ଅସୁସ୍ଥ ଅନୁଭବ କରିଥିଲେ । ଗତ ନଭେମ୍ବର ୧୫ରେ ଛାତ୍ରୀଙ୍କ ସ୍ୱାସ୍ଥା ପରୀକ୍ଷା କରାଯିବା ପରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଚଳିତ ମାସ ୧୪ ତାରିଖ ରାତି ପ୍ରାୟ ୨ଟା ୪୦ରେ ସମୟରେ ଉକ୍ତ ଘରୋଇ ଡାକ୍ତରଖାନାରେ ନାବାଳିକାକୁ ଭର୍ତ୍ତି କରାଯାଇଥିଲା ଏବଂ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।
ତେବେ ପରିବାର ଲୋକେ ଏ ନେଇ ପୋଲିସ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ କୌଣସି ଖବର ଦେଇଥିଲେ । କୌଣସି ଏକ ସୂତ୍ରରୁ ଖବର ପାଇ ସିଡବ୍ଲ୍ୟୁସି ହସ୍ପିଟାଲରେ ଚଢ଼ଉ କରିଥିଲା । ସିଡବ୍ଲ୍ୟୁସିର ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ଓ ସଦର ଥାନା ପୋଲିସ ହସ୍ପିଟାଲରେ ଚଢ଼ଉ କରି ଉଭୟ ମାଆ ଓ ଶିଶୁଙ୍କୁ ଉଦ୍ଧାର କରିଛି ।
ଶିଶୁଟିର ଅବସ୍ଥା ଗୁରୁତର ରହିଛି । ତାକୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିବାବେଳେ ନାବାଳିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହା ପରେ ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରରେ ପୀଡ଼ିତାଙ୍କୁ ରଖାଯାଇଛି । ସେପଟେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।