ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ-ରସାଳପୁର ରାସ୍ତାରେ ଔଷଧ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ୨ ଜଣ ଏଏନ୍ଏମକୁ ନିଲମ୍ବିତ କରିଛନ୍ତି । କୁଲିଗାଁ ଏଏନ୍ଏମ୍ ତନୁସ୍ମିତା ନାୟକ ଓ ଇଞ୍ଚୁଡ଼ି ସବସେଣ୍ଟର୍ ଏଏନ୍ଏମ୍ କବିତା ବେହେରାଙ୍କୁ ନିଲମ୍ବିତ ହୋଇଛନ୍ତି । ରେମୁଣା ମେଡ଼ିକାଲ୍ ଇନଚାର୍ଜ ଡାକ୍ତର ରାମଚନ୍ଦ୍ର କିସ୍କୁ ସୂଚନା ଦେଇଛନ୍ତି ।
ଗତ ୧୧ତାରିଖରେ, ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ପୁଳା ପୁଳା ବୈଧ ସରକାରୀ ଔଷଧ ପଡ଼ିଥିବାର ଦେଖିବାକୁ ମିଳିଥିଲା । ସରକାରୀ ଆଇରନ ଓ ଫଲିକ୍ ଏସିଡ୍ ୫୦ ଏମଏଲର ଶିରପ୍ ପଡ଼ିଥିଲା । ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ଲେଖା ହୋଇଥିବା ବେଳେ ବ୍ୟାଚ ନମ୍ବର ସିଏଚଏସ-୫୦୦୬୫ ଥିଲା । ଔଷଧ ଗୁଡିକର ଅବଧି ତାରିଖ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରହିଛି । ମେଡ଼ିକାଲରେ ରୋଗୀ ଔଷଧ ପାଉ ନ ଥିବାବେଳେ କିଏ ଏବଂ କାହିଁକି ଏତେ ପରିମାଣର ସରକାରୀ ଔଷଧକୁ ଅଳିଆ ଗଦାରେ ଫିଙ୍ଗି ଦେଲା ତାହା ବଡ଼ ପ୍ରଶ୍ନ ।