ନୂଆଦିଲ୍ଲୀ: ସଂପ୍ରତି ଜାତିଆଣ ହିଂସାରେ ଜଳୁଛି ବାଂଲାଦେଶ । ପୁଣି ଥରେ ଏହି ପଡୋଶୀ ଦେଶରେ ହିଂସା ଦେଖିବାକୁ ମିଳିଛି । ମୟମନସିଂହ ଜିଲ୍ଲାରେ ଗୁରୁବାର ରାତିରେ ବର୍ଣ୍ଣବୈଷମ ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ଭିଡ ମଧ୍ୟରେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଦୀପୁ ଚନ୍ଦ୍ର ଦାସ । ସେ ଏକ ପୋଷାକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏବଂ ଡୁବଲିଆପଡା ଅଞ୍ଚଳରେ ଭଡାରେ ରହୁଥିଲେ । ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ତାଙ୍କ ଶବକୁ ଗଛରେ ଟାଙ୍ଗି ଜାଳି ଦେଇଛନ୍ତି ଦୁର୍ବୃତ୍ତ ।
ପୋଲିସ ଅନୁଯାୟୀ, ସ୍ଥାନୀୟ ଲୋକଙ୍କ ଏକ ଗୋଷ୍ଠୀ ପେଙ୍ଗବର ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିବା ଅଭିଯୋଗରେ ରାତି ୯ଟାରେ ଯୁବକଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣା ସେହି ସମୟରେ ଘଟିଛି ଯେତେବେଳବେ ବାଂଲାଦେଶରେ ଭାରତ ବିରୋଧୀ ନେତା ଶରିଫ ଉସମାନ ହାଦୀର ମୃତ୍ୟୁ ପରେ ଦେଶରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି ।
ଅଧିକାରୀଙ୍କ ଅନୁସାରେ ଉତ୍ତ୍ୟକ୍ତ ଚରମପନ୍ଥୀ ଲୋକେ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏହା ପରେ ଶବକୁ ଏକ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ । ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ମୃତଦେହକୁ ନିଜ କବଜାକୁ ନେଇଥିଲେ । ଶବ ବ୍ୟବଚ୍ଛେଦ ପାଇଁ ୟମନସିଂ ମେଡିକାଲ କଲେଜ ହସ୍ପିଟାଲ୍ ପଠାଇ ଦିଆଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ ହୋଇ ନାହିଁ । ପୋଲିସର କହିବା କଥା ମୃତକଙ୍କ ପରିଚୟଙ୍କ ସନ୍ଧାନ କରାଯାଉଛି । ଆନୁଷ୍ଠାନିକ ଅଭିଯୋଗ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏହି ଘଟଣାକୁ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ଘୋର ନିନ୍ଦା କରିଛି । ପାର୍ଟି ବୟାନ ଜାରି କରି କହିଛି ଯେ, ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କ ସହିତ ଯାହା ଘଟିଲା, ତାହା କେବଳ ଜଣେ ବ୍ୟକ୍ତିଙ୍କ ହତ୍ୟା ନୁହେଁ, ବରଂ ଏହା ହିନ୍ଦୁଙ୍କ ପ୍ରତି ହିଂସାର ଏକ ଉଦାହରଣ । ଏହି ଘଟଣାକୁ ନେଇ ଭାରତରେ ମଧ୍ୟ ହିନ୍ଦୁ ସଂଗଠନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
Also read: ବାଂଲାଦେଶ ହିଂସା: ଆୱାମୀ ଲିଗ୍ କାର୍ଯ୍ୟାଳୟକୁ ଜାଳି ଦେଲେ ଜନତା