ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି। ଯାହା ଫଳରେ ପାକିସ୍ତାନର ଅନେକ ଅଞ୍ଚଳରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହା ମଧ୍ୟରେ ଆଫଗାନିସ୍ତାନର ତାଲିବାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପାକିସ୍ତାନରେ ଜଳ ସଙ୍କଟକୁ ଆହୁରି ଗମ୍ଭୀର କରିପାରେ।
ତାଲିବାନ କୁନାର ନଦୀରୁ ନାଙ୍ଗରହାର ଅଞ୍ଚଳକୁ ପାଣି ପଠାଇବା ଯୋଜନା ସହିତ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନର ଏହି ପଦକ୍ଷେପ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ନଦୀର ପ୍ରବାହକୁ ଯଥେଷ୍ଟ ହ୍ରାସ କରିପାରିବାର ସମ୍ଭାବନା ରହିଚି। ସମ୍ପ୍ରତି ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ସଂଘର୍ଷରେ ଉଭୟ ଦେଶର ଅନେକ ସୈନିକଙ୍କ ମୃତ୍ୟୁ ଘଟିଛି।
ତାଲିବାନର ଅର୍ଥନୈତିକ କମିଶନକୁ ପଠାଗଲା ପ୍ରସ୍ତାବ
ଆଫଗାନିସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅର୍ଥନୈତିକ କମିଶନର ବୈଷୟିକ କମିଟିର ଏକ ବୈଠକରେ କୁନାର ନଦୀରୁ ଦାରୁନ୍ତା ଡ୍ୟାମକୁ ପାଣି ପଠାଇବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ଏବଂ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କାର୍ଯ୍ୟକାରୀ ହେବା ପରେ, ଏହି ପ୍ରକଳ୍ପ ଆଫଗାନିସ୍ତାନର ନାଙ୍ଗରହାରରେ ଅନେକ କୃଷି ଜମିର ଜଳ ଅଭାବକୁ ଦୂର କରିବ ବୋଲି ଆଶା କରାଯାଉଛି। କିନ୍ତୁ ଏହା ପାକିସ୍ତାନର ଖାଇବର ପଖତୁନଖ୍ୱାକୁ ଜଳ ପ୍ରବାହକୁ କିପରି ପ୍ରଭାବିତ କରିବ।
ତାଲିବାନର ନିଷ୍ପତ୍ତି ପାକିସ୍ତାନକୁ କିପରି ପ୍ରଭାବିତ କରିବ ?
ପ୍ରାୟ ୫୦୦ କିଲୋମିଟର ଲମ୍ବା କୁନାର ନଦୀ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଚିତ୍ରାଲ ଜିଲ୍ଲାର ହିନ୍ଦୁକୁଶ ପର୍ବତମାଳାରୁ ଉତ୍ପନ୍ନ ହୋଇଛି। ଏହା ପରେ ଦକ୍ଷିଣକୁ ଆଫଗାନିସ୍ତାନରେ ପ୍ରବାହିତ ହେଉଛି। କୁନାର ଏବଂ ନାଙ୍ଗରହାର ପ୍ରଦେଶ ଦେଇ ଗତି କରି କାବୁଲ ନଦୀରେ ମିଶିଛି। ଏହି ନଦୀ ପାକିସ୍ତାନର ସବୁଠାରୁ ବଡ଼ ନଦୀ ମଧ୍ୟରୁ ଗୋଟିଏ ଏବଂ ସିନ୍ଧୁ ନଦୀ ପରି, ଜଳସେଚନ, ପାନୀୟ ଜଳ ଏବଂ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନର ଏକ ପ୍ରମୁଖ ଉତ୍ସ। ବିଶେଷକରି ଦୂରବର୍ତ୍ତୀ ଖାଇବର ପଖତୁନଖ୍ୱା ଅଞ୍ଚଳ ପାଇଁ ଏହି ନଦୀର ବେଶ ଗୁରୁତ୍ଵ ରହିଛି।
ଯଦି ଆଫଗାନିସ୍ତାନ କୁନାର ନଦୀ ଉପରେ ଏକ ଡ୍ୟାମ ନିର୍ମାଣ କରେ, ଏହା ପାକିସ୍ତାନର ଜଳସେଚନ, ପାନୀୟ ଜଳ ଯୋଗାଣ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପକୁ ବେଶ ପ୍ରଭାବିତ କରିବ। ପାଣି ପାଇଁ ଗୁରୁତର ଭାବରେ ପ୍ରଭାବିତ ହେବାର ସମ୍ଭାବନା ଅଛି। ବିଶେଷକରି ସେହିମାନେ ଅଧିକ ପ୍ରଭାବିତ ହେବେ ଯେଉଁମାନେ ପୂର୍ବରୁ ଭାରତ ଦ୍ୱାରା ସିନ୍ଧୁ ନଦୀ ଜଳ ଯୋଗାଣ ଉପରେ କଟକଣା ଯୋଗୁଁ ମରୁଡ଼ିର ଶିକାର ହୋଇଛନ୍ତି।
ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ କୌଣସି ଚୁକ୍ତି ନାହିଁ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦିଲ୍ଲୀ ସହିତ ହୋଇଥିବା ସିନ୍ଧୁ ଜଳ ଚୁକ୍ତି (IWT) ପରି, ଇସଲାମାବାଦର ଏହି ଜଳବିଭାଜକଗୁଡ଼ିକର ବଣ୍ଟନ ଉପରେ କାବୁଲ ସହିତ କୌଣସି ଚୁକ୍ତି ନାହିଁ। ଅର୍ଥାତ୍ ତାଲିବାନକୁ ଡ୍ୟାମ ନିର୍ମାନ ପ୍ରତ୍ୟାହାର କରିବାକୁ ବାଧ୍ୟ କରିବାର କୌଣସି ନୈତିକ ଅଧିକାର ପାକିସ୍ତାନ ପାଖରେ ନାହିଁ। ତାଲିବାନର ଏହି ପଦକ୍ଷେପ ପାକିସ୍ତାନ-ଆଫଗାନିସ୍ତାନ ହିଂସାର ପୁନରାବୃତ୍ତିର ସମ୍ଭାବନାକୁ ବୃଦ୍ଧି କରିଛି।
Also read: ଇଣ୍ଡିଗୋ ବିରୁଦ୍ଧରେ ଜନସ୍ୱାର୍ଥ ମାମଲା, ଶୁଣାଣି ପାଇଁ ମନା କଲେ ଦିଲ୍ଲୀ ହାଇକୋର୍ଟ