ନୂଆଦିଲ୍ଲୀ: ଭାରତ, ଇଟାଲୀ, ଆମେରିକା ଏବଂ ଫ୍ରାନ୍ସ ସମେତ ବିଶ୍ୱର ଅନେକ ଦେଶ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି । ତେବେ ଏହି ଘଟଣାରେ ପାକିସ୍ତାନୀ ଲିଙ୍କ ଥିବା ଖବର ସାମ୍ନାକୁ ଆସିଛି । ସିଡନୀର ଜଣେ ବରିଷ୍ଠ ଆଇନ ପ୍ରବର୍ତ୍ତନ ଅଧିକାରୀ କହିଛନ୍ତି ଯେ ବଣ୍ଡି ବିଚ୍ ଗୁଳିକାଣ୍ଡରେ ଅଭିଯୁକ୍ତ ଅପରାଧୀଙ୍କ ମଧ୍ୟରୁ ଜଣେ ନାଭିଦ ଆକ୍ରମ, ଯିଏ ସିଡନୀର ବୋନିରିଗ୍ ନିବାସୀ ଏବଂ ମୂଳତଃ ପାକିସ୍ତାନର ଲୋହାର ନିବାସୀ ବୋଲି ଚିହ୍ନଟ ହୋଇଛି।
ଗୁଳିଚାଳକ ନାଭିଦ ଆକ୍ରମର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଉଛି । ଅନଲାଇନରେ ଏକ ଲାଇସେନ୍ସ ଫଟୋ ପ୍ରକାଶ ପାଇଛି ଯେଉଁଥିରେ ନାଭିଦ ଆକ୍ରମ ପାକିସ୍ତାନ କ୍ରିକେଟ୍ ଦଳର ଜର୍ସି ପିନ୍ଧିଥିବା ଦେଖାଯାଉଛି। ନାଭିଦ ଆକ୍ରମ ପୂର୍ବରୁ ଇସଲାମାବାଦର ଏକ ବିଶ୍ୱବିଦ୍ୟାଳୟରେ ପାଠପଢ଼ିଥିଲେ ଏବଂ ଅଷ୍ଟ୍ରେଲିଆର ସିଡନୀର ଅଲ୍-ମୁରାଦ ଇନଷ୍ଟିଚ୍ୟୁଟରେ ଉଚ୍ଚଶିକ୍ଷା ଲାଭ କରିଥିଲେ ।
ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଖବର ଉପରେ ପ୍ରତିକ୍ରିୟା ଦେଇ ନ୍ୟୁ ସାଉଥ୍ ୱେଲ୍ସ (ଘଝଡ) ପୋଲିସ କମିଶନର ମାଲ ଲାନିୟନ୍ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଛନ୍ତି, "ଏହା ପ୍ରତିଶୋଧ ନେବାର ସମୟ ନୁହେଁ; ପୋଲିସକୁ ସେମାନଙ୍କର କାମ କରିବାକୁ ଦେବାର ସମୟ। ସେ ଏହା ମଧ୍ୟ କହିଛନ୍ତି ଯେ ପୋଲିସ ପାଖରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ବିଷୟରେ ବହୁତ କମ୍ ସୂଚନା ଅଛି। ତେଣୁ ଏହି ସମୟରେ ସନ୍ଦିଗ୍ଧ ଉପରେ ଧ୍ୟାନ ଦେଉନାହାନ୍ତି।
ଅଧିକାରୀଙ୍କ ଅନୁଯାୟୀ, ଆକ୍ରମଣରେ ସାମିଲ ଥିବା ଦୁଇ ଗୁଳିଚାଳକଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତୃତୀୟ ଆକ୍ରମଣକାରୀ କିମ୍ବା ଅନ୍ୟ ସହଯୋଗୀ ଏଥିରେ ସାମିଲ ଅଛନ୍ତି କି ନାହିଁ ତାହା ମଧ୍ୟ ପୋଲିସ ତଦନ୍ତ କରୁଛି।
ସୂଚନାଯୋଗ୍ୟ, ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୬ଟା ୩୦ ସମୟରେ, ସିଡନୀର ବଣ୍ଡି ବିଚ୍ରେ ଇହୁଦୀ ପର୍ବ ହନୁକା ପାଳନ କରିବା ପାଇଁ ଏକାଠି ହୋଇଥିବା ହଜାର ହଜାର ଲୋକଙ୍କ ଉପରେ ଦୁଇଜଣ ଗୁଳିଚାଳକ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିଲେ। ଅଷ୍ଟ୍ରେଲିୟ କର୍ତ୍ତୃପକ୍ଷ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛନ୍ତି। ଏହା ପରେ, ଭାରତ, ଆମେରିକା, ବ୍ରିଟେନ୍ ଏବଂ ଇଟାଲୀ ସମେତ ବିଶ୍ୱର ଅନେକ ଦେଶ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।
Also read: ଅଷ୍ଟ୍ରେଲିଆରେ ବଡ଼ ଅଘଟଣ, ଇହୁଦୀ ପର୍ବ ସମୟରେ ଆଖିବୁଜା ଗୁଳିମାଡ଼, ୧୦ ମୃତ