ନୂଆଦିଲ୍ଲୀ: ରବିବାର ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍ରେ ଲୋକେ ଖୁସିରେ ଝୁମୁ ଉଠୁଥିଲେ। ଇହୁଦୀଙ୍କ ପର୍ବ ଚାଲିଥିବାରୁ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ। ଠିକ ଏହି ସମୟରେ ଲୋକଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ସେଠାରେ ସମବେତ ହଜାର ହଜାର ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଯିଏ ପାଇଲା, ଜୀବନ ବିକଳରେ ଦୌଡିଲେ। ଏହି ଗୁଳିକାଣ୍ଡରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି।
ଅଷ୍ଟ୍ରେଲୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇହୁଦୀଙ୍କ ଏକ ପର୍ବ ପାଇଁ ସିଡନୀ ବେଳାଭୂମିରେ ପ୍ରବଳ ଭିଡ଼ ଜମା ହୋଇଥିଲା। ଆଠ ଦିନିଆ ପବିତ୍ର ପର୍ବ ହାନୁକାହର ପ୍ରଥମ ଦିନ ପାଳନ କରିବା ପାଇଁ ବହୁ ସଂଖ୍ୟକ ଇହୁଦୀ ଏକତ୍ରିତ ହୋଇଥିଲେ। ଏହି ଘଟଣା ପରେ ସିଡନୀ ସୁରକ୍ଷା ସଂସ୍ଥା ଉଭୟ ଆକ୍ରମଣକାରୀଙ୍କୁ ଅଟକ ରଖିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କଳା ପୋଷାକ ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ରାଇଫଲ୍ କିମ୍ବା ବନ୍ଧୁକ ଧରି ଲୋକଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ପାଖାପାଖି ୫୦ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ଅଷ୍ଟ୍ରେଲିଆର ଏକ ଦୈନିକ ଖବରକାଗଜ ଦି ସିଡନୀ ମର୍ଣ୍ଣିଂ ହେରାଲ୍ଡ ଅନୁଯାୟୀ, ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସିଡନୀ ପୋଲିସ ତୁରନ୍ତ ସର୍ଚ୍ଚ ଅପରେସନ ଚଳାଇ ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ପୋଲିସ ଜଣଙ୍କ ଉପରେ ଗୁଳି ଚଳାଇଥିବା ବେଳେ ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିଲା। ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରି ପୋଲିସ ଓ ତଦନ୍ତକାରୀ ଏଜେନ୍ସି ତଦନ୍ତ ଚଳାଇଛନ୍ତି। ଘଟଣାସ୍ଥଳରୁ ଦୂରେଇ ରହିବାକୁ ପୋଲିସ ଲୋକଙ୍କୁ ଅନୁରୋଧ କରିଛି ଏବଂ ଘଟଣାସ୍ଥଳକୁ ଖାଲି କରିବାକୁ ପରାମର୍ଶ ଦେଇଛି। ହେଲିକପ୍ଟର ଏବଂ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି।
ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ସେମାନେ ୫୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଫୁଟିବାର ଶବ୍ଦ ଶୁଣିଛନ୍ତି। ଲୋକମାନେ କ୍ୟାମ୍ପବେଲ ପରେଡ ନିକଟରେ ତଳେ ପଡ଼ି ରହିଥିଲେ। ଘଟଣାଟି ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରୁ ୬ଟା ୪୫ ମଧ୍ୟରେ ଘଟିଛି। ଏହି ସମୟରେ ହଜାର ହଜାର ଲୋକ ବେଳାଭୂମିରେ ଉପସ୍ଥିତ ଥିଲେ। ଇହୁଦୀ ପର୍ବ ହାନୁକାହର ପ୍ରଥମ ଦିନରେ ଏହି ଅଘଟଣ ଘଟିଛି।
NSW ପୋଲିସ ଘଟଣା ବିଷୟରେ କ’ଣ କହିଛି ?
ନ୍ୟୁ ସାଉଥ୍ ୱେଲ୍ସ (NSW) ପୋଲିସ ଫୋର୍ସ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି କହିଛି ଯେ, ପୋଲିସ ଅପରେସନ୍ ଜାରି ରହିଛି। ଏପର୍ଯ୍ୟନ୍ତ ଦଶ ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଛି, ଯେଉଁଥିରେ ଜଣେ ଆକ୍ରମଣକାରୀ ମଧ୍ୟ ଅଛନ୍ତି। ଅନ୍ୟ ଜଣେ ଆକ୍ରମଣକାରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ଘଟଣାରେ ଦୁଇ ଜଣ ପୋଲିସ ଅଧିକାରୀ ସମେତ ମୋଟ ୧୧ ଜଣ ଆହତ ହୋଇଛନ୍ତି।
ଅଧିକ ପଢନ୍ତୁ ; ୨୪ ଘଣ୍ଟାରେ ଭାରତକୁ ଅଣାଯାଇପାରେ ଲୁଥ୍ରା ବ୍ରଦର୍ସ, ଗୋଆ ଅଗ୍ନିକାଣ୍ଡ ପରେ ପଳାଇଥିଲେ ଥାଇଲାଣ୍ଡ