ଢାକା: ବାଂଲାଦେଶରେ ଗତକାଲି ବିଳମ୍ବିତ ରାତିରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି। ପ୍ରଦର୍ଶନକାରୀମାନେ ବାଂଲାଦେଶ ରାଜଧାନୀ ଢାକାରେ ପଶି ଅନେକ କୋଠା ଏବଂ ଯାନବାହାନ ଜାଳି ଦେଇଛନ୍ତି। ଇନକିଲାବ ମଞ୍ଚା ମୁଖପାତ୍ର ଶରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ପଡ଼ୋଶୀ ଦେଶରେ ହିଂସା ଦେଖାଦେଇଥିଲା ଏବଂ ପରିସ୍ଥିତି ବିଗିଡ଼ି ଯାଇଥିଲା। ଅନେକ ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଜନତା ପ୍ରଥମ ଆଲୋର କାର୍ଯ୍ୟାଳୟ ଭଙ୍ଗାରୁଜା କରିଥିଲେ ଏବଂ କାରୱାନ ବଜାରରେ ଥିବା ଡେଲି ଷ୍ଟାର କୋଠାରେ ନିଆଁ ଲଗାଇ ଦେଇଥିଲେ। ଅନେକ ସାମ୍ବାଦିକଙ୍କୁ ମଧ୍ୟ ଜୀବନ୍ତ ଜାଳି ଦେବାକୁ ଚେଷ୍ଟା କରାଯାଇଥିଲା। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଜାଳିଦେବାକୁ ଉଦ୍ୟମ କରାଯାଇଥିଲା। ତେବେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।
ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଶାସନ ବିରୋଧରେ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଇନକିଲାବ ମଞ୍ଚାର ମୁଖପାତ୍ର ଶରିଫ ଓସମାନ ହାଦିଙ୍କ ସମ୍ପ୍ରତି ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଢାକାରେ ବ୍ୟାପକ ଅଶାନ୍ତି ଦେଖାଦେଇଥିଲା। ଗତକାଲି ବିଳମ୍ବିତ ରାତିରେ ବିକ୍ଷୋଭକାରୀମାନେ ଅନେକ ଗଣମାଧ୍ୟମ ସଂସ୍ଥାକୁ ନିଆଁ ଲଗାଇ ଦେଇଥିଲେ। ପ୍ରଦର୍ଶନକାରୀମାନେ ରାଜଶାହୀରେ ଆୱାମୀ ଲିଗ୍ କାର୍ଯ୍ୟାଳୟକୁ ମଧ୍ୟ ନିଆଁ ଲଗାଇ ଦେଇଥିଲେ।
ବାଂଲାଦେଶରେ ଘଟିଥିବା ହିଂସା ଆଇନ ଶୃଙ୍ଖଳାକୁ ବାଧା ଦେଇଛି। ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ରିପୋର୍ଟ ଅନୁଯାୟୀ ହାଦିଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଶାହାବାଦ ଛକରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ତା’ପରେ କ୍ରୋଧିତ ଜନତା ଛକ ଅବରୋଧ କରିଥିଲେ। ପ୍ରଦର୍ଶନକାରୀମାନେ ପ୍ଲାକାର୍ଡ ଧରି ସରକାର ହାଦିଙ୍କ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ଅଭିଯୋଗ କରିଥିଲେ।
ଉଲ୍ଲେଖନୀୟ ଯେ ଡିସେମ୍ବର ୧୨ ତାରିଖରେ ଢାକାର ବିଜୟନଗର ଅଞ୍ଚଳରେ ନିର୍ବାଚନ ପ୍ରଚାର ସମୟରେ ଅଜ୍ଞାତ ଆକ୍ରମଣକାରୀମାନେ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କୁ ଗୁଳି କରିଥିଲେ। ହାଦିଙ୍କ ଅବସ୍ଥା ଖରାପ ହେଉଥିବା ଦେଖି ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଢାକାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ଡିସେମ୍ବର ୧୫ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ସିଙ୍ଗାପୁର ପଠାଯାଇଥିଲା।
ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଏବଂ ସିଙ୍ଗାପୁର ଅଧିକାରୀମାନେ ହାଦିଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ। ହାଦିଙ୍କ ମୃତ୍ୟୁ ଖବର ପାଇବା ପରେ ଲୋକମାନେ କ୍ରୋଧରେ ଉତକ୍ଷିପ୍ତ ହୋଇ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ ମହମ୍ମଦ ୟୁନୁସ ଶାନ୍ତି ପାଇଁ ନିବେଦନ କରିଥିଲେ।
ଅଧିକ ପଢ଼ନ୍ତୁ: କୁହୁଡ଼ିରେ ଆଇଜିଆଇ ବିମାନବନ୍ଦର ପ୍ରଭାବିତ