ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ଟଣାଓଟରା ପୁଣି ଥରେ ଜୋର ଧରିଛି । ବେଲଗାଭିରେ ବରିଷ୍ଠ ଲୋକ ନିର୍ମାଣ ମନ୍ତ୍ରୀ ସତୀଶ ଜାରକିହୋଲିଙ୍କ ଦ୍ୱାରା ବୁଧବାର ରାତିରେ ଆୟୋଜିତ ଏକ ରାତ୍ରଭୋଜନରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମର୍ଥନ କରୁଥିବା ବିଧାୟକ ସାମିଲ୍ ହୋଇଥିଲେ । ଏଥିରେ ସିଦ୍ଧରମୈୟାଙ୍କ ପୁଅ ମଧ୍ୟ ସାମିଲ୍ ହୋଇଥିଲେ । ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଆୟୋଜନରେ ଯୋଗ ଦେଇ ପାରି ନ ଥିଲେ ।
ଜାରକିହୋଲି ଏହି ବୈଠକକୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ସୌଜନ୍ୟମୂଳକ ମିଳାମିଶା ବୋଲି କହିଛନ୍ତି। ମାତ୍ର ଏଥିରେ ସାମିଲ୍ ଅନେକ ବିଧାୟକ ସଙ୍କେତ ଦେଇଛନ୍ତି ଯେ, ଏଥିରେ ରାଜନୈତିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିକଟତର ବ୍ୟକ୍ତି ଏନ ରାଜନ୍ନା କହିଛନ୍ତି ଯେ, ପାର୍ଟି ପାଇଁ ରଣନୀତି ଓ ନେତୃତ୍ୱ ସଂପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।
ସେ କହିଛନ୍ତି,ଏହି ଧରଣର ଡିନର ପାର୍ଟି ଏବଂ ବୈଠକ କେବଳ ସୌଜନ୍ୟମୂଳକ ସାକ୍ଷାତ ନୁହେଁ ବରଂ ଅନେକ ଉଦ୍ଦେଶ୍ୟକୁ ପୂରା କରିଥାଏ । ଏହି ରାତ୍ରିଭୋଜନ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଏହି ପରି ଏକ କାର୍ଯ୍ୟକ୍ରମର ଆୟୋଜନ ପରେ କରାଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି, କର୍ଣ୍ଣାଟକ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ପ୍ରବଳ ରହିଛି । କର୍ଣ୍ଣାଟକ ସରକାରକୁ ନଭେମ୍ବ ୨୦ରେ ଅଢେଇ ବର୍ଷ ପୂରା ହେବା ପରେ ନେତୃତ୍ୱ ପରିବର୍ତ୍ତନର ସମ୍ଭାବନା ଜୋର ଧରିଛି ।
ନିକଟରେ ପାର୍ଟି ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଡିକେ ଶିବକୁମାର ଓ ସିଦ୍ଧରମୈୟା ପରସ୍ପରର ବାସଭବନରେ ସାକ୍ଷାତ କରିଥିଲେ । ପ୍ରଥମେ ସିଦ୍ଧରମୈୟା ଶିବକୁମାରଙ୍କ ଘରକୁ ଯାଇଥିଲେ । ଏହା ପରେ ଶିବକୁମାର ସିଦ୍ଧରମୈୟାଙ୍କ ବାସଭବନ ଆସି ଭୋଜନ କରିବା ସହିତ ଆଲୋଚନା କରିଥିଲେ । ପାର୍ଟି ଏହା ଜଣାଇବାକୁ ଚେଷ୍ଟା କରିଥିଲା ଯେ, କର୍ଣ୍ଣାଟକ କଂଗ୍ରେସରେ ସବୁ କିଛି ଠିକ୍ ଅଛି ।
Also read: ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ଯୋଜନା ଆରମ୍ଭ କଲେ ମହାରାଷ୍ଟ୍ର ସରକାର