ନୂଆଦିଲ୍ଲୀ: କଠିନ ପରିଶ୍ରମର ଅନ୍ୟ ନାମ ସଫଳତା । ଅର୍ଥାତ୍ ଯିଏ ପରିଶ୍ରମୀ ଓ ଉଦ୍ୟୋଗୀ ହୋଇଥାଆନ୍ତି ଏବଂ ଇଚ୍ଛା ଶକ୍ତି ଥାଏ ସଫଳତା ତାଙ୍କ ନିକଟକୁ ଆପେ ଆପେ ଆସିଥାଏ । ଜଣେ ସାଧାରଣ ବ୍ୟକ୍ତି ହୋଇ ନିଜ କଠିନ ପରିଶ୍ରମରେ ୫ ବର୍ଷରେ ସଞ୍ଚୟ କରିଛନ୍ତି ଦେଢ଼ କୋଟି ଟଙ୍କା । ସେ ପୁଣି ଜଣେ ଡେଲିଭରି ବୟ ।
ବର୍ଷା, ଶୀତ କିମ୍ବା ଖରା ଯାହା ହେଇଥାଉ ଜଣେ ଡେଲିଭରି ବୟ ସବୁବେଳେ ସଠିକ ସମୟରେ ଗ୍ରାହକ ପାଖରେ ତାଙ୍କର ସାମଗ୍ରୀ ସୁରକ୍ଷିତ ଭାବରେ ପହଁଚିଥାଆନ୍ତି । ଆଉ ଚାଇନାରେ ଜଣେ ଏଭଳି ଡେଲିଭରି ବୟ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି, ଆଜି ଏହି ରୋଜଗାରରୁ କୋଟିପତି ହୋଇପାରିଛନ୍ତି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ମୁତାବିକ, ଚୀନ୍ ର ଜଣେ ୨୫ ବର୍ଷର ଯୁବକ ଝାଙ୍ଗ୍ ଜୁଏକିୟାଙ୍ଗ୍ ଫୁଡ୍ ଡେଲିଭରି ବୟ ଭାବରେ କାମ କରନ୍ତି । ସପ୍ତାହ ସାତ ଦିନ ଏବଂ ପ୍ରତ୍ୟେକ ଦିନ ୧୩-୧୩ ଘଣ୍ଟା କାମ କରନ୍ତି । ପ୍ରତ୍ୟେକ ସ୍ଥାନକୁ ସେ ଯାଆନ୍ତି । ବିଗତ ୫ ବର୍ଷ ମଧ୍ୟରେ ୩ ଲକ୍ଷ ୨୪ ହଜାର କିଲୋମିଟର୍ ଦୂରତା ଯାତ୍ରା କରିଛନ୍ତି । ସେହି ୫ ବର୍ଷ ମଧ୍ୟରେ ୧.୧୨ ମିଲିୟନ ୟୁଆନ ବା ୧ ଲକ୍ଷ ୬୦ ହଜାର ଆମେରିକୀୟ ଡଲାର ସଞ୍ଚୟ କରିଛନ୍ତି । ଅର୍ଥାତ୍ ଭାରତୀୟ ମୁଦ୍ରାରୁ ପାଖାପାଖି ଦେଢ଼ କୋଟି ଟଙ୍କା ସଞ୍ଚୟ କରିଛନ୍ତି ।
ଝାଙ୍ଗ୍ ୨୦୨୦ ମସିହାରେ ଡେଲିଭରି ବୟ ଭାବରେ ଜୀବିକା ଆରମ୍ଭ କରିଥିଲେ । ସେ ପ୍ରଥମେ ନିଜ ସହର ଫୁଜିୟାନର ଝାଙ୍ଗଝାଓରେ ଏକ ଫୁଡ୍ ଷ୍ଟଲ୍ ଖୋଲିଥିଲେ । ସେଠାରେ ବ୍ୟବସାୟ ମାନ୍ଦା ହେବାରୁ ଏବଂ ପ୍ରାୟ ୭୦୦୦ ଆମେରିକୀୟ ଡଲାର କରଜ ଭାର ଥିବାରୁ ସେ ଚୀନର ରାଜଧାନୀ ସାଙ୍ଘାଇ ସହରକୁ ଚାଲିଆସିଥିଲେ । ସେଠାରେ ଡେଲିଭରି ବୟ ଭାବରେ କାମ ଆରମ୍ଭ କରିଥିଲେ । ଆଉ ଚଳିତ ବର୍ଷ ନଭେମ୍ବରରେ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ ଯେ ବିଗତ ୫ ବର୍ଷରେ ସେ ୧.୪ ମିଲିଅନ ୟୁଆନ ରୋଜଗାର କରିଛନ୍ତି । ସେ ତାଙ୍କର ସମସ୍ତ ଋଣ ମଧ୍ୟ ପରିଶୋଧ କରିଛନ୍ତି । ନିଜର ସମସ୍ତ ଖର୍ଚ୍ଚକୁ ବାଦ ଦେଇ ସେ ଏହି ଟଙ୍କା ସଞ୍ଚୟ କରିଛନ୍ତି ।
ସେ ଦୈନିକ ୧୩ ଘଣ୍ଟା ପରିଶ୍ରମ କରନ୍ତି । ସକାଳ ୧୦ଟା ୪୦ରୁ ଚାକିରୀକୁ ଯାଆନ୍ତି ରାତି ୧ଟା ପର୍ୟ୍ୟନ୍ତ ଡ୍ୟୁଟି କରନ୍ତି । ଗୋଟିଏ ମାସରେ ଅତିକମରେ ସେ ୩୦୦ ଫୁଡ୍ ଅର୍ଡର୍ ଡେଲିଭର୍ କରନ୍ତି । ଝାଙ୍ଗଙ୍କ କହିବା ମୁତାବକ ଏହି କାମରେ ମଧ୍ୟ ଅଧିକ ଟଙ୍କା ରୋଜଗାର କରି ହେବ ଏବଂ ସେ ତାହାର ଏକ ଜ୍ୱଳନ୍ତ ଉଦାହରଣ ।