ଭୁବନେଶ୍ୱର: ସ୍ମାର୍ଟ ମିଟର୍ ବସାଇବା ନିଷ୍ପତ୍ତି ପ୍ରତିବାଦରେ ବିଜେଡ଼ି ଦଳ ଆଜି ଟିପିସିଓଡିଏଲ୍ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି । ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି ।
ବିଜୁ ଯୁବ ସଭାପତି ଚିନ୍ମୟ ସାହୁ ଏବଂ ବିଜୁ ଛାତ୍ର ସଭାନେତ୍ରୀ ଇପସିତା ସାହୁଙ୍କ ନେତୃତ୍ୱରେ କର୍ମୀମାନେ ନାରାବାଜି କରିଛନ୍ତି । ଏହା ସହିତ କାର୍ଯ୍ୟାଳୟ ସମ୍ମୁଖରେ ସ୍ମାର୍ଟ ମିଟର୍ ଭାଙ୍ଗିଛନ୍ତି । ସ୍ମାର୍ଟ ଏବଂ ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି । ସ୍ମାର୍ଟ ଉପାୟରେ ସ୍ମାର୍ଟ ଚୋରି କରାଯାଉଚି ବୋଲି ଅଭିଯୋଗ କରିଛନ୍ତି ଚିନ୍ମୟ ସାହୁ ।
ସେପଟେ ଟାଟା ପାୱାର୍ ଅତିରିକ୍ତ ସୁରକ୍ଷା ଜମା ବା ଆଡିସନାଲ୍ ସିକ୍ୟୁରିଟି ଡିପୋଜିଟ୍ ବାବଦରେ ଟିପିସିଓଡିଏଲ୍ ସିଇଓ ଅରବିନ୍ଦ ସିଂ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ରଖିଛନ୍ତି ।
ସେ କହିଛନ୍ତି ଯେ ବିଦ୍ୟୁତ ଆଇନ ୨୦୦୩ ନିୟମ ଅନୁସାରେ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ନିଆଯାଉଛି । ଭାରତର ସମସ୍ତ ରାଜ୍ୟରେ ଏହି ନିୟମ ଚାଲୁଛି, ଏହା ଓଡ଼ିଶାରେ ନୂତନଭାବେ ହେଉ ନାହିଁ । ବିଦ୍ୟୁତ ଆଇନ ୨୦୦୩ ଧାରା ୪୭ ଅନୁସାରେ ସିକ୍ୟୁରିଟି ଡିପୋଜିଟ୍ ନିଆଯାଏ । ଏହି ନିୟମ ଅନୁସାରେ ନୂତନ ବିଦ୍ୟୁତ ସଂଯୋଗ ନେଲେ ସିକ୍ୟୁରିଟି ଡିପୋଜିଟ୍ ଦେବେ । ଯେଉଁ ସିକ୍ୟୁରିଟି ଡିପୋଜିଟ୍ ନିଆଯାଉଛି ତାହା ଉପରେ କ୍ରେଡିଟ୍ ଇଣ୍ଟରେଷ୍ଟ ଦେଉଛୁ ।
ଯାହା ପୁରୁଣା ମିଟର ରିଡିଙ୍ଗ ନେଉଥିଲା, ସ୍ମାର୍ଟ ମିଟର ସମାନ ରିଡିଙ୍ଗ ନେଉଛି । ଅଧିକ ଟଙ୍କା ଆସିବା ଏକ ଭ୍ରମ, ସେମିତି କୌଣସି ସ୍ଥାନରେ ହେଉନି । ଯାହାର ଯଦି ବ୍ୟକ୍ତିଗତ ସମସ୍ୟା ଅଛି ଆମ ନିକଟକୁ ଆସି ଜଣାଇ ପାରିବେ ବୋଲି ସିଇଓ କହିଛନ୍ତି ।