ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ମେଡ଼ିକାଲ ପରିସରରେ ଥିବା ଆହାର କେନ୍ଦ୍ରରୁ ବନ୍ଧୁକ ଜବତ ହୋଇଛି । ବନ୍ଧୁକ ରଖିଥିବା ଯୁବକ ଚମ୍ପଟ୍ ମାରିଥିବାବେଳେ ପୋଲିସ ତାକୁ କାବୁ କରିଛି ।
ପ୍ରାପ୍ତ ସୂଚନା ମୁତାବକ, ଯୁବକ ଜଣକ ସୋର ମେଡ଼ିକାଲରେ ଥିବା ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିଲେ । ତାଙ୍କ ନିକଟରେ ବସିଥିବା ଆଉ ଜଣେ ବ୍ୟକ୍ତି ଯୁବକଙ୍କ ପକେଟରେ ଏକ ବନ୍ଧୁକ ଦେଖି ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ । ସୁରକ୍ଷାକର୍ମୀ ଆସି ବନ୍ଧୁକ ଛଡ଼ାଇବା ପରେ ପଚରା ଉଚରା କରିଥିଲେ । ଏହା ଏକ ଖେଳଣା ବନ୍ଧୁକ କହି ଯୁବକ ଜଣ ଭୁତାଇବାକୁ ଚେଷ୍ଟା କରିଥିଲା । କିନ୍ତୁ କଥାବାର୍ତ୍ତା ସମୟରେ ଯୁବକ ଜଣକ ମଉକା ଦେଖି ପାଚେରୀ ଡେଇଁ ଚମ୍ପଟ୍ ମାରିଥିଲା । ସୁରକ୍ଷାକର୍ମୀ ତାକୁ ଧରିବାରେ ବିଫଳ ହେବା ପରେ ତୁରନ୍ତ ସୋର ପୋଲିସକୁ ଖବର ଦେଇଥିଲେ ।
ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଯୁବକ ଜଣକୁ ଗିରଫ କରିଛି । ଏହା ସହିତ ବନ୍ଧୁକକୁ ଜବତ କରିଛି । ଯୁବକଟି ବାରମ୍ବାର ତାର ବୟାନ ବଦଳାଉଥିବା ଜଣାପଡ଼ିଛି । ସେ ବାଲିଆପାଳ ଅଞ୍ଚଳର ବୋଲି ପ୍ରଥମେ କହିଥିଲା ଏବଂ ପରେ ହାଇଦ୍ରାବାଦରୁ ଆସିଥିବା କହିଥିଲା । ତେବେ ପୋଲିସ ଜେରା ଜାରି ରଖିଛି ।