କଟକ: ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ ଦଳରୁ ବହିଷ୍କାର ହେବା ପରେ ତାଙ୍କ ସହିତ କେନ୍ଦ୍ରୀୟ ନେତୃବୃନ୍ଦ ଯୋଗାଯୋଗ କରିଛନ୍ତି । ଏହା ପରେ ମୋକିମ ପ୍ରତିକ୍ରିୟା ରଖିଛନ୍ତି ଯେ କିଛି କେନ୍ଦ୍ରୀୟ ନେତା ତାଙ୍କ ସହ କଥା ହୋଇଛନ୍ତି । ଯାହା ଚିଠିରେ ଲେଖିଥିଲେ ସେ ବାବଦରେ ପଚାରି ବୁଝିଛନ୍ତି । ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ ମଧ୍ୟ ପଚାରି ବୁଝିଛନ୍ତି । ତାଙ୍କ ଚିଠିର ପ୍ରଭାବ କେନ୍ଦ୍ରରେ ପଡ଼ିଛି ଏବଂ ଏହା ଉପରେ ତର୍ଜମା କରାଯିବ ବୋଲି ସେ ଆଶା ରଖିଛନ୍ତି । କଂଗ୍ରେସ ଦଳର ସ୍ଥିତିରେ ପରିବର୍ତ୍ତନ ହେବ । ସେହିପରି ରାଜନୀତି କରୁଛି, ଆଗାମୀ ଦିନରେ ରାଜନୀତି ଜାରି ରଖିବେ । ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବେ ବୋଲି ମୋକିମ କହିଛନ୍ତି ।
ସିଡବ୍ଲ୍ୟୁସି ସଦସ୍ୟ ଜୟରାମ ରମେଶ ଓ ପବନ ଖେରା ମୋକିମଙ୍କ ସହ କଥା ହୋଇଥିଲେ । ପୂର୍ବରୁ ରାଜ୍ୟ ବ୍ୟାପାର ବୁଝୁଥିବା ପ୍ରଭାରୀ ମଧ୍ୟ କଥା ହୋଇଛନ୍ତି । ତେବେ ମୋକିମ କାହିଁକି ଏପରି ଚିଠି ଲେଖିଲେ, ଏହାର ପ୍ରକୃତ କାରଣ କଣ ପଚାରିଥିଲେ । ରାଜ୍ୟ କଂଗ୍ରେସ ସଭାପତିଙ୍କ ସହ ବିବାଦ କ’ଣ ରହିଛି ବୋଲି ପଚାରି ବୁଝିଛନ୍ତି କେନ୍ଦ୍ରୀୟ ନେତା। କେବଳ ସେତିକି ନୁହେଁ ଏଆଇସିସି ଓ ରାହୁଲ ଗାନ୍ଧିଙ୍କ ବାବଦରେ ଲେଖିବା କଥା ମଧ୍ୟ ପଚାରି ବୁଝିଛନ୍ତି। ଗଣମାଧ୍ୟମକୁ ଯିବା ନେଇ ମଧ୍ୟ ପଚରାଉଚରା କରିଥିବା ସୂଚନା ମିଳିଛି।
ନିକଟରେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ ମୋକିମ। କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ସୂଚନା ଦେଇଥିଲା।