ମୁୁମ୍ବାଇ: କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚହ୍ୱାନ ଅପରେସନ ସିନ୍ଦୂରକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଅପରେସନର ପ୍ରଥମ ଦିନରେ ଭାରତର ପରାଜୟ ହୋଇଥିଲା । ନିଜର ଏହି ଟିପ୍ପଣୀକୁ ନେଇ ସେ କଦାପି କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ପୃଥ୍ୱୀରାଜ ଚହ୍ୱାନ । ସେ କହିଛନ୍ତି ପ୍ରଶ୍ନ କରିବାର ଅଧିକାର ଆମକୁ ସମ୍ବିଧାନ ଦେଇଛି ।
ନିକଟରେ ଏକ ପ୍ରେସ କନଫରେନ୍ସରେ ଚହ୍ୱାନ କହିଥିଲେ ଯେ, ଅପରେସନ ସିନ୍ଦୂରର ପ୍ରଥମ ଦିନରେ ଭାରତ ହାରିଥିଲା । ଏହା ସହିତ ସେ ଲକ୍ଷାଧିକ ସୈନିକଙ୍କ ଉପସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ କହିଥିଲେ ଅଧିକାଂଶ ସୈନିକଙ୍କୁ ଅନ୍ୟ କିଛି କାର୍ଯ୍ୟରେ ନିୟୋଜିତ କରିବା ଉଚିତ୍ ।
ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଚହ୍ୱାନ କହିଛନ୍ତି, ମୁଁ କାହିଁକି କ୍ଷମା ମାଗିବି ? ସମ୍ବିଧାନ ମୋତେ ପ୍ରଶ୍ନ ପଚାରିବାର ଅଧିକାର ଦେଇଛି । ସେ ଏହି ପ୍ରସଙ୍ଗରେ ଶୀଘ୍ର ମିଡିଆ ସହ ବିସ୍ତାର ସହ ଆଲୋଚନା କରିବେ । ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ କିଛି ଭୁଲ୍ ନାହିଁ । ତେଣୁ ତାଙ୍କୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ।
ଏଏନଆଇ ଅନୁସାରେ, ପୁଣେରେ ସାମ୍ବାଦିକ ସମ୍ମିଳନୀରେ ଚହ୍ୱାନ କହିଥିଲେ, ଅପରେସନ ସିନ୍ଦୂରର ପ୍ରଥମ ଦିନରେ ଭାରତ ଶୋଚନୀୟ ଭାବେ ହାରିଥିଲା । ମେ ୭ ତାରିଖ ଅଧ ଘଣ୍ଟା ଧରି ଚାଲିଥିବା ସଂଘର୍ଷରେ ଭାରତ ହାରିଥିଲା । ଏବେ ଲୋକ ଏହାକୁ ସ୍ୱୀକାର କରିବେ କି ନାହିଁ ଏହା ତାଙ୍କ ଉପରେ ନିର୍ଭର କରେ । ଭାରତୀୟ ବିମାନକୁ ମାରି ଖସାଇ ଦିଆଯାଇଥିଲା । ବାୟୁସେନା ସଂପୂର୍ଣ୍ଣ ଭାବେ ମାଟିରେ ଥିଲା । ଗୋଟିଏ ବି ବିମାନ ଉଡି ନ ଥିଲା । ଯଦି କୌଣସି ବିମାନ ଗ୍ୱାଲିୟର, ବଠିଣ୍ଡା କିମ୍ବା ସିରସାରୁ ଉଡିଥାନ୍ତା ତେବେ ଏହାର ସମ୍ଭାବନା ଅଧିକ ଥିଲା ଯେ, ପାକିସ୍ତାନ ମାରି ଖସାଇ ଦେଇଥାନ୍ତା । ଏହି କାରଣରୁ ବାୟୁସେନା ପୂରା ମାଟିରେ ଥିଲା ।
Also read: ଇଥିଓପିଆରେ ଗୁଞ୍ଜି ଉଠିଲା ବନ୍ଦେ ମାତରମ, ଖୁସିରେ ଝୁମି ଉଠିଲେ ପିଏମ ମୋଦୀ, Video