ଯାଜପୁର/ଭୁବନେଶ୍ୱର: ଏପଟେ ରାଜ୍ୟରେ ଥଣ୍ଡା ବଢ଼ୁଥିବାବେଳେ ସେପଟେ ଯାଜପୁର ରାଜନୀତି ପାଣିପାଗ ବେଶ ସରଗରମ ରହିଛି । ଧର୍ମଶାଳାରେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ସମର୍ଥକମାନେ ମୁହାଁମୁହିଁ ହେବା ପରେ ତେଜିଛି ଧାରଣା ରାଜନୀତି । ଉଭୟ ପକ୍ଷରୁ ଯାଜପୁରରୁ ନେଇ ରାଜଧାନୀ ଯାଏଁ ରାତି ତମାମ ଧାରଣା ଦିଆଯାଇଛି ।
ଧର୍ମଶାଳାରେ ବିଧାୟକ ହିମାଂଶୁ ଶେଖର ସାହୁ ଓରଫ୍ ଲିକୁଙ୍କ ଏବଂ ବିଜେପି କର୍ମୀମାନେ ଧାରଣାରେ ବସିଛନ୍ତି । ସମର୍ଥକମାନେ ଜେନାପୁର ଥାନା ଘେରାଉ କରିଛନ୍ତି । ଆକ୍ରମଣକାରୀକୁ ଗିରଫ କରିବାକୁ ଗତକାଲି ରାତିରୁ ଧାରଣା ଦିଆଯାଇଛି । ଯେପର୍ଯ୍ୟନ୍ତ ସୁନୀଲ ପଣ୍ଡାଙ୍କକୁ ଆକ୍ରମଣ କରିଥିବା ବ୍ୟକ୍ତି ଗିରଫ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଜାରି ରହିବ ବୋଲି କହିଛନ୍ତି । ବିଗତ ଦେଢ଼ ବର୍ଷ ହେବ ଧର୍ମଶାଳା ଶାନ୍ତ ଥିବାବେଳେ ବିଜେଡ଼ି କର୍ମୀମାନେ ଅଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏହା ସହିତ ପ୍ରଣବ ବଳବନ୍ତରାୟ ହାଏ ହାଏ ବୋଲି ନାରା ଦେଇଛନ୍ତି ।
ଏପଟେ ଭୁବନେଶ୍ୱରରେ ବିଜେଡ଼ିର ବହୁ ବରିଷ୍ଠ ନେତା ଆନ୍ଦୋଳନରେ ସାମିଲ ହୋଇଯାଇଛନ୍ତି । ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ଅନେକ କାର୍ଯ୍ୟକର୍ତ୍ତା ଏବଂ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକମାନେ ଭୁବନେଶ୍ୱରସ୍ଥିତ ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ବିଧାୟକ ହିମାଂଶୁ ସାହୁଙ୍କୁ ଗିରଫ କରିବାକୁ ବିଜେଡ଼ି କର୍ମୀମାନେ ଧାରଣାରେ ବସିଛନ୍ତି ।
ପ୍ରକାଶ ଯୋଗ୍ୟ, ଧର୍ମଶାଳା ବ୍ଲକ୍ ଜେନାପୁର ଥାନା ପନ୍ତୁରୀଠାରେ ବିଧାୟକ ହିମାଂଶୁ ସାହୁ ଏବଂ ପୂର୍ବତନ ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ । ପନ୍ତୁରୀଠାରେ ଥିବା ପ୍ରଣବଙ୍କ ଫାର୍ମହାଉସରେ ବଣଭୋଜି ଚାଲିଥିବାବେଳେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ସୁନୀଲ ପଣ୍ଡା ଓ ନିଗମାନନ୍ଦ ଦାଶ ଏକ ଗାଡ଼ିରେ ସେହିବାଟ ଦେଇ ଫେରୁଥିଲେ । ଏହି ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଫଳରେ ସୁନୀଲ ଏବଂ ନିଗମାନନ୍ଦ ଗୁରୁତର ଆହତ ହୋଇଥିଲେ । ଏହା ସହିତ ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି । ସେହିପରି ଫାର୍ମହାଉସ ଭଙ୍ଗାରୁଜା ସହିତ ତାଙ୍କର କିଛି କର୍ମୀ ଗୁରୁତର ଆହତ ହୋଇଥିବା ପ୍ରଣବ ବଳବନ୍ତରାୟ ମଧ୍ୟ ଅଭିଯୋଗ କରିଛନ୍ତି ।