ଭୁୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ । ରାଜ୍ୟବାସୀ ମଧ୍ୟ ବିଧାୟକଙ୍କ ଏତେ ମାତ୍ରାରେ ଦରମା ବଦ୍ଧିକୁ ଗ୍ରହଣ କରି ପାରୁ ନାହାନ୍ତି । ଏହା ମଧ୍ୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି କହିଛନ୍ତି । ନବୀନ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରତିକ୍ରୟା ଦେଇଛନ୍ତି । ଏହା ସହିତ ସେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ।
ସେ କହିଛନ୍ତି, ବିଧାନସଭାରେ ନବୀନ ବାବୁଙ୍କୁ କହିବାର ସୁଯୋଗ ଥିଲା । କାହିଁକି ଆସିଲେ ନାହିଁ, କାହିିଁକି ମତ ରଖିଲେ ନାହିଁ । ଏହା ଆଉ କିଛି ନୁହେଁ, କେବଳ ରାଜନୀତି । ବର୍ଦ୍ଧିତ ଦରମା ନ ନେବା କେବଳ ରାଜନୀତି ।
ସୂଚନାଯୋଗ୍ୟ, ଗତକାଲି ନବୀନ ପଟ୍ଟନାୟକ କହିଥିଲେ ଯେ, ସେ ବର୍ଦ୍ଧିତ ଦରମା ନେବେନି । ବର୍ଦ୍ଧିତ ଦରମାକୁ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରାଯାଉ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଶନିବାର ଚିଠି ଲେଖିଛନ୍ତି। ଏକ୍ସରେ ଚିଠିକୁ ସେୟାର କରି ଏହାର ସୂଚନା ଦେଥିଲେ ନବୀନ। ସେ ଏହା ମଧ୍ୟ ଲେଖିଥିଲେ ଯେ, ମୁଁ ଓଡ଼ିଶାବାସୀଙ୍କ ପ୍ରତି ଏବଂ ମୋ ପ୍ରତି ଏବଂ ମୋର ସ୍ଵର୍ଗତପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ଅତ୍ୟନ୍ତ ଋଣି।ପୂର୍ବରୁ ଆମର ପରିବାର କଟକରେ ଥିବା ପୈତୃକ ସମ୍ପତ୍ତି \'ଆନନ୍ଦ ଭବନ\' ଦାନ କରିବାକୁ ନିଷ୍ପତ୍ତି ନେଇଥିଲା।
ତେଣୁ ସମାନ ଭାବନାରେ ମୁଁ ବିରୋଧୀ ଦଳ ନେତାଙ୍କ ପାଇଁ ବୃଦ୍ଧି କରାଯାଇଥିବା ଦରମା ଏବଂ ଭତ୍ତା ତ୍ୟାଗ କରିବାକୁ ଚାହୁଁଛି ଯାହାକୁ ଓଡ଼ିଶା ବିଧାନସଭା ନିକଟରେ ପାରିତ କରିଛି। ଏନେଇ ମୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରି ଏହି ବର୍ଦ୍ଧିତ ଦରମାକୁ ଆମ ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରନ୍ତୁ ବୋଲି କହିଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦରମା ସହ ଅନ୍ୟାନ୍ୟ ଭତ୍ତା ମିଶାଇ ପାଇବେ ୩ ଲକ୍ଷ ୭୪ ହଜାର ଟଙ୍କା। ସେହିପରି ବିଧାୟକମାନେ ୩ ଲକ୍ଷ ୪୫ ହଜାର, ବାଚସ୍ପତି ଓ ଉପ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ୬୮ ହଜାର, ଉପ ବାଚସ୍ପତି ଓ ଉପ ରାଷ୍ଟ୍ରମନ୍ତ୍ରୀ ୩ ଲକ୍ଷ ୫୬ ହଜାର ଟଙ୍କା । ସେହିଭଳି କ୍ୟାବିନେଟ ମନ୍ତ୍ରୀ, ବିରୋଧୀ ଦଳ ନେତା, ସରକାରୀ ଉପ ମୁଖ୍ୟ ସଚେତକ ୩ ଲକ୍ଷ ୬୨ ହଜାର ଦରମା ପାଇବେ । ଉପ ମୁଖ୍ୟ ସଚେତକ ୩ ଲକ୍ଷ ୫୦ ହଜାର ଟଙ୍କା ଦରମା ପାଇବେ ।
Also read: ହତ୍ୟା ଷଡ଼ଯନ୍ତ୍ର ବିଫଳ: ପେଟ୍ରୋଲ ନିଆଁରୁ ବର୍ତ୍ତିଗଲେ ବ୍ୟକ୍ତି