ଭୁବନେଶ୍ୱର: କିଛି ଦିନ ହେଲା ରାଜ୍ୟରେ ପାରଦ ତଳ ମୁହାଁ ରହିଛି । ଏପରିକି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ତଳକୁ ଖସି ଶୀତ ବଢିବାରେ ଲାଗିଛି । ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସନ୍ଧ୍ୟା ହେଲେ ଘରୁ ବାହାରିବା ଅସମ୍ଭବ ହୋଇପଡୁଛି । ଏହାରି ଭିତରେ ୧୦ ଡିଗ୍ରୀ ତଳେ ୮ ସହର ରହିଥିବା ଜଣାପଡିଛି । କ୍ରମାଗତ ୧୦ ଦିନ ହେଲା ଲାଗି ରହିଛି ପ୍ରବଳ ଥଣ୍ଡା । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ରହିଛି ।
ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଶୀତ ଲାଗିରହିଛି । ଯାହା ଫଳରେ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ କିଛି ଦେଖାଯାଉନାହିଁ । ଯେଉଁଥିପାଇଁ ଯାତାୟାତରେ ବାଧା ସୃଷ୍ଟି ହେଉଛି ।
ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ୍, ଫୁଲବାଣୀ ୬, ଦାରିଙ୍ଗିବାଡ଼ି ୬, ସେମିଳିଗୁଡ଼ା ୬.୧, କୋରାପୁଟ ୭, ରାଉରକେଲା ୮.୨, ଚିପିଲିକା ୮.୬, ଝାରସୁଗୁଡ଼ା ୮.୯, କିରେଇ ୯.୮, ବୌଦ୍ଧ ୯.୮, ଭବାନୀପାଟଣା ୯, ଅନୁଗୁଳ ୯.୬, ନବରଙ୍ଗପୁର ୧୦, କେନ୍ଦୁଝର ୧୦.୬, ବଲାଙ୍ଗୀର ୧୦.୮, ରାୟଗଡ଼ା ୧୧, ସୋନପୁର ୧୧, ଢେଙ୍କାନାଳ ୧୧.୩, ସୁନ୍ଦରଗଡ଼ ୧୦.୬, ସମ୍ବଲପୁର ୧୧.୮ ଓ ନୂଆପଡ଼ା ୧୨ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶାର ଭୁବନେଶ୍ୱର ୧୩.୨ ଓ କଟକ ୧୩, ଜଗତସିଂହପୁର ୧୨.୬, କେନ୍ଦ୍ରାପଡ଼ା ୧୨.୬ ଡିଗ୍ରୀ ଥିଲା ।