କେନ୍ଦୁଝର : କେନ୍ଦୁଝରରୁ ନନ୍ଦନକାନନ ସ୍ଥାନାନ୍ତର ହେଲା ୬ମାସର ହାତୀଛୁଆ । ୧୨ ଦିନ ପୂର୍ବରୁ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଶୁଆକାଟୀ ସେକ୍ସନ୍ ସୁକଡ଼ଳା ଗାଁ ନିକଟରୁ ଉଦ୍ଧାର ହାତୀଛୁଆକୁ ଏକ ସ୍ୱତନ୍ତ୍ର ‘କ୍ଲ କ୍ରୁଜର’ରେ ନନ୍ଦନକାନନର ଚନ୍ଦକା ହସ୍ତୀ ଉଦ୍ଧାର କେନ୍ଦ୍ରକୁ ପଠାଯାଇଛି ।
ସୂଚନା ଥାଉକି ୧୨ ଦିନ ତଳେ ଏହି ହାତୀଛୁଆକୁ ସୁକଡ଼ଲା ଗାଁ ନିକଟ ପାହାଡ଼ ନିକଟ ଏକ ଖାଲ ଭିତରୁ ଉଦ୍ଧାର କରିଥିଲା ବନ ବିଭାଗ । ଏହାପରେ ବାରମ୍ବାର ହାତୀପଲ ସହିତ ଛୁଆକୁ ମିଶାଇବାକୁ ଉଦ୍ୟମ ମଧ୍ୟ କରାଯାଉଥିଲା । ହେଲେ ମା ହାତୀ ଛୁଆକୁ ନ ନେବାରୁ କେନ୍ଦୁଝର ନିକଟ ପଦ୍ମପୁର ନର୍ସରୀ ଠାର ଛୁଆକୁ ରଖାଯାଇଥିଲା । ସେଠାରେ ହାତୀଛୁଆକୁ ସଠିକ ସମୟରେ ଖାଦ୍ୟପେୟ ଦିଆଯାଉଥିଲା ।
ତେବେ ଏହାରି ମଧ୍ୟରେ ହାତୀଛୁଆର କୌଣସି ରୋଗ ନଥିବା ଜଣାପଡ଼ିଥିଲା । ବିଶେଷ କରି ତା ଶରୀରରେ ଇଇଏଚ୍ଭି ଭାଇରସ୍ ନଥିବା କେନ୍ଦୁଝର ଡିଏଫଓ ଧନରାଜ ଏଚ୍.ଡ଼ି ସୂଚନା ଦେଇଛନ୍ତି। ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧିକାରୀଙ୍କ ନେତୃତ୍ଵରେ ଏକ ଟିମ୍ ସହ, ହାତୀଛୁଆକୁ ସ୍ଵତନ୍ତ୍ର ‘କ୍ଲ କ୍ରୁଜର’ ଯାନରେ ଚନ୍ଦକା ହାତୀ ଉଦ୍ଧାର କେନ୍ଦ୍ର ପଠାଯାଇଛି । ଯେଉଁଠି,ଅନ୍ୟ ହାତୀମାନଙ୍କ ସହିତ ରହିବା ପରେ ହାତୀଛୁଆର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ଡିଏଫଓ କହିଛନ୍ତି ।