ଭୁବନେଶ୍ୱର: ଶୀତରେ କଲବଲ ପୂରା ରାଜ୍ୟ। ପ୍ରବଳ ଥଣ୍ତାରେ ଥରହର ପୂରା ରାଜ୍ୟ। ଏହିଭଳି ତାପମାତ୍ରା ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ, ଅର୍ଥାତ୍ ଆସନ୍ତା ଦୁଇ ସପ୍ତାହ ଯାଏଁ ଶୀତ ପ୍ରକୋପରୁ ନିସ୍ତାର ନାହିଁ। ଚଳିତବର୍ଷ ଶୀତ ପ୍ରକୋପ ବେଶ୍ ଲମ୍ବା ରହିଛି । ଫେବ୍ରୁଆରୀ ୧୫ ପୂର୍ବରୁ ଶୀତ ବିଦାୟ ନେବାର ସମ୍ଭାବନା କମ୍। ଡିସେମ୍ବର ଭଳି ଜାନୁଆରୀରେ ବି ଜାରି ରହିବ ଥଣ୍ଡା ପ୍ରକୋପ।
ରାଜ୍ୟରେ ଗତ ୯-୧୦ ଦିନ ଧରି ଲାଗି ରହିଛି ଶୀତ ପ୍ରକୋପ। ଏଭଳି ଲଗାତାର ଶୀତ ପ୍ରକୋପ ବିଗତ ବର୍ଷମାନଙ୍କରେ କେବେ ଅନୁଭୂତ ହୋଇନଥିଲା। ଯଦିଓ ଆଜି ତାପମାତ୍ର ସାମାନ୍ୟ ବଢ଼ିଛି, ତଥାପି ଶୀତରୁ ବଡ଼ ଆଶ୍ୱସ୍ତି ମିଳିନି। ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ୍, ଫୁଲବାଣୀ ୬, ଦାରିଙ୍ଗିବାଡ଼ି ୬, ସେମିଳିଗୁଡ଼ା ୬.୧, କୋରାପୁଟ ୭, ରାଉରକେଲା ୮.୨, ଚିପିଲିକା ୮.୬, ଝାରସୁଗୁଡ଼ା ୮.୯, କିରେଇ ୯.୮, ବୌଦ୍ଧ ୯.୮, ଭବାନୀପାଟଣା ୯, ଅନୁଗୁଳ ୯.୬, ନବରଙ୍ଗପୁର ୧୦, କେନ୍ଦୁଝର ୧୦.୬, ବଲାଙ୍ଗୀର ୧୦.୮, ରାୟଗଡ଼ା ୧୧, ସୋନପୁର ୧୧, ଢେଙ୍କାନାଳ ୧୧.୩, ସୁନ୍ଦରଗଡ଼ ୧୦.୬, ସମ୍ବଲପୁର ୧୧.୮ ଓ ନୂଆପଡ଼ା ୧୨ ଡିଗ୍ରୀ ଥିଲା। ଉପକୂଳ ଓଡ଼ିଶାର ଭୁବନେଶ୍ଵର ୧୩.୨ ଓ କଟକ ୧୩, ଜଗତସିଂହପୁର ୧୨.୬, କେନ୍ଦ୍ରାପଡ଼ା ୧୨.୬ ଡିଗ୍ରୀ ରହିଥିଲା।
ପାଣିପାଗ ବିଭାଗ ପକ୍ଷରୁ କୌଣସି ଶୀତ ଲହରା ସୂଚନା ଜାରି କରାଯାଇନି। ମାତ୍ର ଆସନ୍ତା ୬ ଦିନ ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା କୁହାଯାଇଛି। ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟକୁ କୁହୁଡ଼ି ଆଚ୍ଛାଦିତ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଫେସ ପଶୁପାଳକ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ଶୀତ ପ୍ରଭାବରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ। ଉପକୂଳ ଓଡ଼ିଶାରେ ଆସନ୍ତା ୧୭ ଓ ୧୮ରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଦକ୍ଷିଣ ଓଡ଼ିଶାରେ ୨୨-୨୩ ତାରିଖବେଳକୁ ସାମାନ୍ୟ ପରିବର୍ତ୍ତନ ଘଟିପାରେ। ମାତ୍ର ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ।