କଟକ: ବିଳମ୍ବିତ ନ୍ୟାୟକୁ ନେଇ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ ଉଦ୍ବେଗ ପ୍ରକାଶ କରିଛନ୍ତି। ହାଇକୋର୍ଟ ବାର୍ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ସେ କହିଛନ୍ତି ଯେ ସାଧାରଣ ଲୋକ ଓ ନ୍ୟାୟ ମଧ୍ୟରେ ଦୁଇଟି ଜିନିଷ ବାଧା ଆଣିଥାଏ। ପ୍ରଥମଟି ମକଦ୍ଦମାରେ ଖର୍ଚ୍ଚ ହେଉଥିବା ଟଙ୍କା ଓ ଏଥିରେ ବିତୁଥିବା ସମୟ। ବିଳମ୍ବିତ ନ୍ୟାୟ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଓ ସମ୍ମାନ ଉପରେ ପ୍ରଭାବ ପକାଇଥାଏ। ବିଳମ୍ବିତ ଓ ଖର୍ଚ୍ଚସାପେକ୍ଷ ନ୍ୟାୟ ବ୍ୟବସ୍ଥା ସାଧାରଣ ଲୋକଙ୍କ ଉପରେ ଏକ ବୋଝ ଅଟେ। ତେଣୁ ଏଥିରେ ୩ଟି ବସ୍ତୁ ମୂଳ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ସିଜେଆଇ କହିଛନ୍ତି। ସାଧାରଣ ଲୋକଙ୍କ ଉପରେ କମ୍ ଚାପ ପକାଇବା ଓ ଅନିଶ୍ଚିତତା ଦୂର କରିବା ଓ ତୃତୀୟଟି ସାଧାରଣ ଲୋକଙ୍କ ସମ୍ମାନ ରକ୍ଷା କରିବା ବୋଲି ସେ ମତ ଦେଇଛନ୍ତି।
ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଯୋଗ ଦେଇଛନ୍ତି । ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି ଆଦି ଶୀର୍ଷକ ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଛି ।
ସିଜେଆଇ ସୂର୍ଯ୍ୟକାନ୍ତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ସହିତ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟ ବକ୍ତା, ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଓ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତର ପ୍ରଧାନ ବିଚାରପତି ହେବା ପରେ ଜଷ୍ଟିସ ସୂର୍ଯ୍ୟକାନ୍ତ ପ୍ରଥମଥର ପାଇଁ ଓଡି଼ଶା ଆସିଛନ୍ତି ।