ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଲାଗି ରହିଛ । ଏହା ମଧ୍ୟରେ ରବିବାର ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନାଁ ଘୋଷଣା କରିଛି । ବିହାର ସରକାରରେ ମନ୍ତ୍ରୀ ରହିଥିବା ନୀତୀନ ନବୀନଙ୍କୁ ପାର୍ଟି ଏହି ଗୁରୁ ଦାୟିତ୍ଵ ଦେଇଛି । ନବୀନ ବର୍ତ୍ତମାନ ବିହାରର ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏ ସରକାରରେ ମନ୍ତ୍ରୀ ଅଛନ୍ତି। ବିହାରର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ ଏହାର ସୂଚନା ଦେଇଛନ୍ତି ।
ବିଜେପି ନିଜ ବୟାନରେ କହିଛି ଯେ, ବିଜେପିର ସଂସଦୀୟ ବୋର୍ଡ ନୀତୀନ ନବୀନଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି । ଏହି ନିଯୁକ୍ତି ତତ୍କାଳ ପ୍ରଭାବରୁ ଲାଗୁ ହେବ । ଏହା ପୂର୍ବରୁ ଆଜି ଉତ୍ତର ପ୍ରଦେଶ ବିଜେପି ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା । ନବୀନ ୨୦୦୦୬ରେ ଉପ ନିର୍ବାଚନ ଜିତିବା ପରେ ଲଗାତାର ଚାରି ଥର ବିଧାୟକ ହୋଇଛନ୍ତି । ସେ ୨୦୧୦, ୨୦୧୫, ୨୦୨୦ ଏବଂ ୨୦୨୫ରେ ବିହାର ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ପାଟନାରେ ଜନ୍ମଗ୍ରହଣ କରିଥିବା ନବୀନ ବିଜେପିର ବରିଷ୍ଠ ନେତା ନବୀନ କିଶୋର ପ୍ରସାଦଙ୍କ ପୁଅ। ନବୀନ କିଶୋର ମଧ୍ୟ ଜଣେ ପୂର୍ବତନ ବିଧାୟକ। ନୀତୀନ ନବୀନ ସିହ୍ନା କାୟସ୍ଥ ସଂପ୍ରଦାୟର ଅଟନ୍ତି । ସେ ଭାରତୀୟ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ବିହାର ସରକାରରେ ମନ୍ତ୍ରୀ ଥିବା ସହ ଛତିଶଗଡ଼ ବିଜେପି ପ୍ରଭାରୀ ଦାୟିତ୍ଵରେ ଅଛନ୍ତି ।
କିଛି ମାସ ପୂର୍ବେ ସଂପନ୍ନ ବିହାର ନିର୍ବାଚନରେ ନୀତୀନ ନବୀନ ଆରଜେଡିର ରେଖା କୁମାରୀଙ୍କୁ ହରାଇଥିଲେ । ବାଙ୍କିପୁର ବିଧାନସଭା ଆସନରୁ ନୀତୀନଙ୍କୁ ୯୮ ହଜାର ୨୯୯ ଭୋଟ୍ ମିଳିଥିବା ବେଳେ ଆରଜେଡି ପ୍ରାର୍ଥୀ ରେଖା କୁମାରୀଙ୍କୁ ମିଳିଥିଲା ୪୬ ହଜାର ୩୦୮ ଭୋଟ୍ । ଏହା ପୂର୍ବରୁ ୨୦୨୦ ବିଧାନସଭା ନିର୍ବାଚନରେ ନବୀନ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନାଙ୍କୁ ହରାଇଥିଲେ ।