ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ୱ ମିଳିଛି । ବୈଜୟନ୍ତ ବିଜେପିର ଆସାମା ନିର୍ବାଚନ ପ୍ରଭାରୀ ହୋଇଛନ୍ତି । ସେହିପରି ଜମ୍ମୁ କାଶ୍ମୀର ବିରୋଧୀ ଦଳ ନେତା ସୁନୀଲ କୁମାର ଶର୍ମା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନ ବେନ ଜର୍ରଦ୍ଦୋଶ ସହପ୍ରଭାରୀ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ନିଯୁକ୍ତି ଦେଇଛନ୍ତି ।
ପୂର୍ବରୁ ତାମିଲନାଡ଼ୁ ଦାୟିତ୍ୱରେ ଥିବା ବୈଜୟନ୍ତଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ତାମିଲନାଡ଼ୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ପୀୟୁଷ ଦ୍ୱିତୀୟ ଥର ପାଇଁ ତାମିଲନାଡ଼ୁ ଦାୟିତ୍ୱ ପାଇଛନ୍ତି । ସେ ୨୦୧୯ରେ ତାମିଲନାଡ଼ୁର ନିର୍ବାଚନୀ ପ୍ରଭାରୀ ହୋଇଥିଲେ । ଅର୍ଜୁନ ମେଘୱାଲ ଏବଂ ମୂରଲୀଧର ମୋହୋଲ ସହ ପ୍ରଭାରୀ ହୋଇଛନ୍ତି ।
୨୦୨୧ ବିଧାନସଭା ନିର୍ବାଚନରେ ମଧ୍ୟ ବୈଜୟନ୍ତଙ୍କୁ ଦଳ ଆସାମ ଦାୟିତ୍ୱ ଦେଇଥିଲା । ଉକ୍ତ ନିର୍ବାଚନରେ ବୈଜୟନ୍ତଙ୍କ ମାର୍ଗ ଦର୍ଶନରେ ଆସାମରେ ବିଜେପି ସରକାରକୁ ଆସିଥିଲା । ସେହିପରି ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ବୈଜୟନ୍ତ ବଡ଼ ଭୂମିକା ଗ୍ରହଣ କରିଥିଲେ । ସେଠାରେ ମଧ୍ୟ ଆମ୍ ଆଦମୀ ଦଳକୁ ହରାଇ ବିଜେପି ଶାସନ ଗାଦିରେ ବସିଥିଲା । ସେହିପରି ୨୦୨୪ ଲୋକସଭା ନିର୍ବାଚନରେ ବୈଜୟନ୍ତଙ୍କୁ ଉତ୍ତର ପ୍ରଦେଶର ମତଦାନ କେନ୍ଦ୍ରର ଦାୟିତ୍ୱ ମିଳିଥିଲା ।