ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ଶୀତ ଅଧିବେଶନରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ବଦଳରେ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ୍ ଜୀବିକା ମିଶନ ବିଧେୟକ ଆଣିବାକୁ ଯାଉଛନ୍ତି । ଏଥିପାଇଁ ଡିସେମ୍ବର ୧୫ ରୁ ୧୯ତାରିଖ ଯାଏଁ ଲୋକସଭାରେ ଉପସ୍ଥିତ ରହିବାକୁ ସମସ୍ତ ବିଜେପି ସଦସ୍ୟଙ୍କୁ ହ୍ୱିପ୍ ଜାରି ହୋଇଛି ।
କ’ଣ ଏହି ‘ଜି ରାମ୍ ଜି’ ?
କେନ୍ଦ୍ର ସରକାର ମନରେଗା ବଦଳାଇବା ପାଇଁ ଏକ ନୂତନ ଆଇନ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି । କେନ୍ଦ୍ର ସରକାର ଏହି ନୂତନ ବିଲ୍ ର ନାମ "ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ଏମ୍ପ୍ଲୟମେଣ୍ଟ ଆଣ୍ଡ ଜୀବିକା ମିଶନ (ଗ୍ରାମୀଣ)" ରଖିଛନ୍ତି, ଯାହା ସଂକ୍ଷିପ୍ତରେ ଭିବି ଜି ରାମ୍ ଜି ଭାବରେ ଜଣାଯିବ। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ନୂତନ ବିଲ୍ ୨୦୪୭ ମସିହା ପାଇଁ ଏକ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ମନରେଗା ଯୋଜନା ଅଧୀନରେ, ଗ୍ରାମାଞ୍ଚଳରେ ୧୦୦ ଦିନର କାମ ନିଶ୍ଚିତ କରାଯାଇଛି । କିନ୍ତୁ ଆଗତ ହେବାକୁ ଥିବା ନୂତନ ବିଧେୟକରେ ୧୦୦ ଦିନ ବଦଳରେ ଲୋକଙ୍କୁ ୧୨୫ ଦିନର କାମ ଯୋଗାଇ ଦେବାକୁ ଯୋଜନା ରହିଛି ।
ଏହି ବିଧେୟକର ନକଲ କପି ସମସ୍ତ ଲୋକସଭା ସାଂସଦମାନଙ୍କୁ ବଣ୍ଟନ କରାଯାଇଛି । ଏହି ବିଲ୍ ସଂସଦରେ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଯଦି ସଂସଦର ଉଭୟ ଗୃହ ଦ୍ୱାରା ଗୃହୀତ ହୁଏ, ତେବେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ, ୨୦୦୫ ବିଲୋପ କରାଯିବ । ଏହି ନୂତନ ଯୋଜନା ମନରେଗାର ସ୍ଥାନ ଦେବ ।
ଲୋକସଭାରେ ବିଲ୍ ଉପସ୍ଥାପନ ହେବା ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ରାଜନୀତି ତୀବ୍ର ହୋଇଛି । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ନାମ ଅପସାରଣ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମହାତ୍ମା ଗାନ୍ଧୀ ଏହି ଦେଶ, ବିଶ୍ୱ ଏବଂ ଇତିହାସର ଜଣେ ମହାନ ନେତା ଥିଲେ। ମୁଁ ବୁଝିପାରୁନାହିଁ ଯେ ସରକାର ଏପରି କାହିଁକି କରିବାକୁ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ।