ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା ବା ଏନଆଇଏ ଜାମ୍ମୁ ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ୬ ଜଣ ଅଭିଯୁକ୍ତ ରହିଛନ୍ତି । ତିନି ଜଣ ଆତଙ୍କବାଦୀ ଏବଂ ଅନ୍ୟ ତିନି ଜଣ ସେମାନଙ୍କୁ ପ୍ରଶ୍ରୟ ଦେବା ଅଭିଯୋଗରେ ଅଭିଯୁକ୍ତ ଅଟନ୍ତି । ପହଲଗାମ ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ୩ ଜଣ ସଦସ୍ୟଙ୍କୁ ଭାରତୀୟ ସେନା ଅପରେସନ ମହାଦେବ ଜରିଆରେ ନିହତ କରିଛି ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି ।
ଚଳିତ ବର୍ଷ ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏ ଚାର୍ଜସିଟ୍ ଦାଖଲ କରିଛି । ଘଟଣାର ଦୀର୍ଘ ୮ ମାସ ପରେ ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ । ଲସ୍କର-ଏ-ତୋଏବା ତାର ଆଉ ଏକ ସଂଗଠନ ଦ ରେସିଷ୍ଟେନ୍ସ ଫ୍ରଣ୍ଟ (ଟିଆରଏଫ୍) ନାମ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ଏଥିରେ ତିନି ଜଣ ଆତଙ୍କବାଦୀ ସାମିଲ ଥିଲେ । ସେମାନେ ହେଲେ ସୁଲେମାନ ଶାହ ଓରଫ୍ ଫୈଜଲ ଜଟ୍ଟ/ହାସିମ ମୁସା, ହମଜା ଓରଫ୍ ହମଜା ଅଫଗାନୀ ଏବଂ ଜିବ୍ରାନ ଓରଫ୍ ଜିବ୍ରାନ ଭାଇ । ଏମାନଙ୍କୁ ଅପରେସନ ମହାଦେବ ଜରିଆରେ ଭାରତୀୟ ସେନା ଏନକାଉଣ୍ଟର୍ କରିଛି । ଏତଦବ୍ୟତୀତ ଏମାନଙ୍କୁ ଘରେ ରହିବାକୁ ସ୍ଥାନ ଦେବା ଏବଂ ସମସ୍ତ ପ୍ରକାର ସହଯୋଗ କରିବା ଅଭିଯୋଗରେ ବଶୀର ଅହମ୍ମଦ ଜୌଠର, ପରବେଜ ଅହମ୍ମଦ ଜୋଠର୍ ଏବଂ ମହମ୍ମଦ ୟୁସୁଫ କଟାରୀ ମଧ୍ୟ ଅଭିଯୁକ୍ତ ଅଟନ୍ତି । ବଶୀର ଏବଂ ପରବେଜ ଦୁଇ ଭାଇ ହୋଇଥିବାବେଳେ ସ୍ଥାନୀୟ ବାସିନ୍ଦା ଅଟନ୍ତି । ଏହି ଦୁଇ ଭାଇ ଆତଙ୍କବାଦୀଙ୍କ ଏପ୍ରିଲ ୨୧ରେ ହିଲ୍ ପାର୍କ ସ୍ଥିତ ଏକ ଝୁମ୍ପୁଡ଼ି ଘରେ ଲୁଚାଇ ରଖିଥିଲେ । ଏମାନଙ୍କୁ ଘଟଣାର ଦୁଇ ମାସ ପରେ ଜୁନ ୨୨ ତାରିଖରେ ଗିରଫ କରାଯାଇଥିଲା । ଜୌଠର ଭାଇଙ୍କ ଫୋନରୁ ପାକିସ୍ତାନୀ ନମ୍ବରରେ କଥାବାର୍ତ୍ତା କରୁଥିବା ପ୍ରମାଣ ମଧ୍ୟ ମିଳିଛି ।
ଉଲ୍ଲେଖ ଯୋଗ୍ୟ, ଏପ୍ରିଲ ୨୨, ୨୦୨୫ରେ ପହଲଗାମରେ ଧର୍ମ ନାମରେ ଆତଙ୍କବାଦୀମାନେ ନରସଂହାର କରିଥିଲେ । ଆତଙ୍କୀଙ୍କ ଗୁଳିରେ ନେପାଳୀ ନାଗରିକ, ସ୍ଥାନୀୟ ବାସିନ୍ଦା, ପର୍ୟ୍ୟଟକଙ୍କୁ ମିଶାଇ ମୋଟ ୨୬ ଜଣ ପ୍ରାଣ ହରାଇଥିଲେ ।