ଯାଜପୁର: ଧର୍ମଶାଳାରେ ଦୁଇ ରାଜନୈତିକ ଦଳର ସମର୍ଥକମାନେ ଗଣ୍ଡଗୋଳ କରିବାକୁ ନେଇ ବିଜେଡ଼ି ଦେଇଥିବା ଧାରଣାକୁ ନାପସନ୍ଦ କରିଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ । ଦୋଷୀ ଯିଏ ବି ହୋଇଥାଉ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଦଣ୍ଡ ଦିଆଯିବା ବୋଲି ସାମ୍ବାଦିକ ସମ୍ମିଳନୀରେ ସୋମବାର କହିଛନ୍ତି ବିଧାୟକ ହିମାଂଶୁ ଶେଖର ।
ହିମାଂଶୁ ପ୍ରତିକ୍ରିୟା ରଖିଛନ୍ତି ଯେ, ସେ ଆଇନରୁ ଉପରେ ନୁହଁନ୍ତି । ବିଗତ ଦିନରେ ସେହି ଅଞ୍ଚଳରେ ଏକ ହତ୍ୟା ହୋଇଥିଲା କିନ୍ତୁ କେହି ଥାନାକୁ ଯାଇନଥିଲେ । କେଉଁଠି ଫାର୍ମ ଅଛି, କେଉଁଠି ଭୋଜି ହୋଇଛି ତାହା ବିଷୟରେ ଜ୍ଞାତ ନୁହଁନ୍ତି । ସାମାଜିକ ଗଣମାଧ୍ୟମରୁ ଘଟଣା ସମ୍ପର୍କରେ ଜାଣିଲେ । ଆଇନ ତା ହିସାବରେ କାମ କରିବ, ଯେଉଁମାନେ ଦୋଷୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଧର୍ମଶାଳା ଥାନା, ଜେନାପୁର ଥାନା କିମ୍ବା ଯାଜପୁର ଏସପି କାର୍ଯ୍ୟାଳୟ ପାଖରେ ବସନ୍ତୁ । କିନ୍ତୁ ଡିଜି ଅଫିସ ସାମ୍ନାରେ ବସି ଯାତ୍ରା କରିବା ଏସବୁ ଭାଣ୍ଡାମି, ବାଚଳାମି, ପାଗଳାମି । ଦଳ ମତ ନିର୍ବିଶେଷରେ ଧର୍ମଶାଳା ଜନ ସାଧାରଣଙ୍କ ସଦାସର୍ବଦା ଛିଡ଼ା ହୋଇଛି । ଯିଏ ମାଡ଼ ଖାଇଛନ୍ତି ସେ ଧର୍ମଶାଳାର ମୋ ଲୋକ, କୌଣସି ଦଳର କର୍ମୀ ନୁହଁନ୍ତି । ଏଥିପାଇଁ ଏସପିଙ୍କ ସହିତ ଆଲୋଚନା କରିଛନ୍ତି । ଯେଉଁମାନେ ଦୋଷୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ରାଜନୈତିକ ରୁଟି ନ ସେକିବାକୁ ସେ କହିଛନ୍ତି ।
ପ୍ରକାଶ ଯୋଗ୍ୟ, ଧର୍ମଶାଳା ବ୍ଲକ୍ ଜେନାପୁର ଥାନା ପନ୍ତୁରୀଠାରେ ବିଧାୟକ ହିମାଂଶୁ ସାହୁ ଏବଂ ପୂର୍ବତନ ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ । ପନ୍ତୁରୀଠାରେ ଥିବା ପ୍ରଣବଙ୍କ ଫାର୍ମହାଉସରେ ବଣଭୋଜି ଚାଲିଥିବାବେଳେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ସୁନୀଲ ପଣ୍ଡା ଓ ନିଗମାନନ୍ଦ ଦାଶ ଏକ ଗାଡ଼ିରେ ସେହିବାଟ ଦେଇ ଫେରୁଥିଲେ । ଏହି ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଫଳରେ ସୁନୀଲ ଏବଂ ନିଗମାନନ୍ଦ ଗୁରୁତର ଆହତ ହୋଇଥିଲେ । ଏହା ସହିତ ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି । ସେହିପରି ଫାର୍ମହାଉସ ଭଙ୍ଗାରୁଜା ସହିତ ତାଙ୍କର କିଛି କର୍ମୀ ଗୁରୁତର ଆହତ ହୋଇଥିବା ପ୍ରଣବ ବଳବନ୍ତରାୟ ମଧ୍ୟ ଅଭିଯୋଗ କରିଛନ୍ତି । ଉଭୟ ପକ୍ଷରୁ ଯାଜପୁରରୁ ନେଇ ରାଜଧାନୀ ଯାଏଁ ରାତି ତମାମ ଧାରଣା ଦିଆଯାଇଛି । ବିଜେପି କର୍ମୀମାନେ ଜେନାପୁର ଥାନା ସମ୍ମୁଖରେ ଧାରଣା ଦେଇଥିବାବେଳେ ବିଜେଡ଼ି ନେତାମାନେ ଭୁବନେଶ୍ୱର ଡିଜି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ।