ରାୟଗଡା : ଆଜି ରାୟଗଡ଼ ରେଳଷ୍ଟେସନ୍ରୁ ରାମେଶ୍ୱରମ୍ ଓ ମଦୁରାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା 'ବରିଷ୍ଠ ନାଗରିକ ତୀର୍ଥଯାତ୍ରା' ଟ୍ରେନ୍ର ଶୁଭାରମ୍ଭ ହୋଇଛି । ଏହି ଟ୍ରେନ୍ ଯୋଗେ ବିଭିନ୍ନ ଜିଲ୍ଲାର ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ୨୫ ଜଣ ଏସ୍କର୍ଟ ତୀର୍ଥଯାତ୍ରାରେ ଯାଇଛନ୍ତି ।
ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଅନ୍ତର୍ଗତ କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ ଟି ଜିଲ୍ଲାର ୭୭୫ଜଣ ତୀର୍ଥଯାତ୍ରୀ ଓ ୨୫ ଜଣ ଏସକର୍ଟ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ।
ଉପ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ ପରିଣତ ବୟସରେ ବରିଷ୍ଠ ନାଗରିକଙ୍କୁ ଏହି ଯାତ୍ରା ଧାର୍ମିକ ସହାୟତା ପ୍ରଦାନ ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ବୋଲି ଆର୍ଥିକ ପରିସ୍ଥିତି ଓ ପାରିପାର୍ଶ୍ୱିକ ଅବସ୍ଥା ଯୋଗୁଁ ଅନେକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯିବାରୁ ବଞ୍ଚିତ ରହୁଥିଲେ। ତାହା ଦୂରେଇବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ଆଶୁତୋଷ କୂଲକର୍ଣୀଙ୍କ ଅଧ୍ୟକ୍ଷତାରେ ରେଳ ଷ୍ଟେସନ ଠାରେ ଅନୁଷ୍ଠିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ରେଳବାଇ ଡିଆରଏମ ଅମିତାଭ ସିଂଘଲ, ଏସପି ସ୍ୱାତୀ ଏସ. କୁମାର ଅତିଥି ଭାବେ ଯୋଗ ଦେଇଥିଲେ। ରେଳବାଇ ଆଇଆରସିଟିସି କର୍ତ୍ତୁପକ୍ଷ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମଧ୍ଯ ଉପସ୍ଥିତ ରହିଥିଲେ।
ବରିଷ୍ଠ ନାଗରିକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ମନୋଭାବ ଆସୁଥିବା ବେଳେ ସେମାନେ ତୀର୍ଥସ୍ଥାନ ଭ୍ରମଣ କରିପାରନ୍ତିନାହିଁ। ତାହା ଦୂରେଇବା ପାଇଁ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ପର୍ଯ୍ୟଟନ ବିଭାଗ ତରଫରୁ କୁହାଯାଇଛି। ଏହି ଯାତ୍ରା ବେଳେ ତୀର୍ଥ ଯାତ୍ରୀମାନଙ୍କ ସମସ୍ତ ସୁବିଧା ରାଜ୍ୟ ସରକାର ବହନ କରିଥାନ୍ତି। ତୀର୍ଥଯାତ୍ରୀମାନଙ୍କ ରହିବା, ଯିବା ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା ସହ ଜଗୁଆଳୀ, ପଥ ପ୍ରଦର୍ଶକ, ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।
ଚଳିତବର୍ଷ ୧୦ ଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥିରେ ରାୟଗଡା ଠାରୁ ରାମେଶ୍ବର ଓ ମଦୁରାଇ ଭ୍ରମଣ ସ୍ଥିର କରାଯାଇଥିଲା। ଏଥିରେ ରାୟଗଡା ଜିଲ୍ଲାର ୧୧୮ ଜଣ ତୀର୍ଥଯାତ୍ରୀଙ୍କ ସମେତ କୋରାପୁଟର ୧୬୮ଜଣ, ନବରଙ୍ଗପୁର ୧୪୮ଜଣ, ମାଲକାନଗିରି ୭୫, ନୂଆପଡା ଜିଲ୍ଲାର ୭୪ ମଧ୍ୟ ଏବଂ କଳାହାଣ୍ଡିର ୧୯୨ ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରା କରିଛନ୍ତି । ଗତକାଲି ଏହି ଛଅଟି ଜିଲ୍ଲାର ତୀର୍ଥଯାତ୍ରୀଙ୍କୁ ରାୟଗଡାରେ ରହିବାର ବ୍ୟବସ୍ଥା କରାଯାଇଥିବା ବେଳେ ସଂଧ୍ୟାରେ ଭଜନ ସଂଧ୍ୟା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଜି ରାୟଗଡା ରେଳବାଇ ଷ୍ଟେସନ ସମ୍ମୁଖରେ ତୀର୍ଥଯାତ୍ରୀମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିବା ବେଳେ ଷ୍ଟେସନ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।