ନୂଆଦିଲ୍ଲୀ: ରାମ ମନ୍ଦିର ଆନ୍ଦୋଳନର ଜଣେ ପ୍ରମୁଖ ଚେହାରା ଥିବା ସନ୍ଥ ତଥା ପୂର୍ବତନ ସାଂସଦ ଡାକ୍ତର ରାମ ବିଳାସ ଦାସ ବେଦାନ୍ତୀଙ୍କ ନିଧନ ହୋଇଛି । ସୋମବାର ସକାଳ ମଧ୍ୟ ପ୍ରଦେଶ ରୀୱା ଜିଲ୍ଲାରେ ୭୭ ବର୍ଷ ବୟସରେ ସେ ପ୍ରାଣ ତ୍ୟାଗ କରିଛନ୍ତି । ଏକ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ସେଠାରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଡାକ୍ତର ରାମ ବିଳାସ ଦାସ ବେଦାନ୍ତୀ ଡିସେମ୍ବର ୧୦ ତାରିଖରେ ଦିଲ୍ଲୀରୁ ମଧ୍ୟପ୍ରଦେଶର ରୀୱାରେ ପହଞ୍ଚିଥିଲେ । ସେଠାରେ ଶ୍ରୀରାମ କଥା ଅନୁଷ୍ଠିତ ହେଉଥିଲା। ପ୍ରବଚନ ଦେଉଥିବା ସମୟରେ ସେ ଅସୁସ୍ଥ ହେବା ପରେ ସେ ଗତ ଦୁଇ ଦିନ ଧରି ସେଠାରେ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ତାଙ୍କୁ ଦିଲ୍ଲୀ ନେବା ପାଇଁ ଏକ ଏୟାର ଆମ୍ବୁଲାନ୍ସ ପହଞ୍ଚିଥିଲା, କିନ୍ତୁ ଘନ କୁହୁଡ଼ି ଯୋଗୁଁ ତାହା ଅବତରଣ କରିପାରିନଥିଲା। ଶେଷରେ ସେଠାରେ ହିଁ ଦେହତ୍ୟାଗ କରିଛନ୍ତି । ତାଙ୍କ ଶିଷ୍ୟ, ଶିବମଙ୍କ ଉତ୍ତରାଧିକାରୀ ଡକ୍ଟର ରାଘବେଶ ଦାସଙ୍କ ଅନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କ ପାର୍ଥିବ ଶରୀର ଅଯୋଧ୍ୟାରେ ପହଁଚିବ । ମଙ୍ଗଳବାର ସକାଳ ୧୦ଟାରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଥିରେ ଯୋଗ ଦେବାର ସମ୍ଭାବନା ରହିଛି ।
ଡକ୍ଟର ରାମ ବିଳାସ ଦାସ ବେଦାନ୍ତୀଙ୍କ ଜନ୍ମ ୭ ଅକ୍ଟୋବର ୧୯୫୮ରେ ରୀୱାର ଗୁଧୱା ଗାଁରେ ହୋଇଥିଲା । ମାତ୍ର ୧୨ ବର୍ଷ ବୟସରୁ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ । ନିଜ ଘର ପରିବାର ଛାଡ଼ି ଅଯୋଧ୍ୟା ଚାଲି ଆସିଥିଲେ । ଅଯୋଧ୍ୟାରେ ହନୁମାନଗଢ଼ୀରେ ମହନ୍ତ ଅଭିରାମ ଦାସଙ୍କ ଶିଷ୍ୟ ହୋଇଥିଲେ । ସେ ସଂସ୍କୃତରେ ପ୍ରଗାଢ଼ ପାଣ୍ଡିତ୍ୟ ହାସଲ କରିଛନ୍ତି ।
ଅଯୋଧ୍ୟାରେ ବିବାଦୀୟ ବାବ୍ରୀ ମସଜିଦ ଢାଞ୍ଚା ଭଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ସାଂସଦ ଡାକ୍ତର ରାମ ବିଳାସ ଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁ ମହନ୍ତ ଅବେଦ୍ୟ ନାଥ ଏବଂ ରାମଚନ୍ଦ୍ର ଦାସ ପରମହଂସଙ୍କ ସହିତ, ରାମ ବିଳାସ ଦାସ ୧୯୯୦ ଦଶକରେ ରାମ ମନ୍ଦିର ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ । ଏହା ପରେ ରାଜନୀତିରେ ପାଦ ଥାପିଥିଲେ ଏବଂ ସେଥିରେ ମଧ୍ୟ ସେ ସଫଳତା ହାସଲ କରିଥିଲେ । ସେ ବିଜେପିରୁ ଟିକେଟ୍ ପାଇ ୧୯୯୬ ଏବଂ ୧୯୯୮ ମସିହାରେ ଦୁଇଥର ସଂସଦକୁ ମଧ୍ୟ ନିର୍ବାଚିତ ହୋଇ ଯାଇଛନ୍ତି । ୧୯୯୬ ମସିହାରେ ମଛଲିଶହରରୁ ସାଂସଦ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୮ ମସିହାପରେ ସେ ଦ୍ୱାଦଶ ଲୋକସଭାରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ରୁ ବିଜେପି ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଶ୍ରୀରାମ ମନ୍ଦିର ଆନ୍ଦୋଳନରେ ତାଙ୍କର ନେତୃତ୍ୱ ଯୋଗୁଁ, ତାଙ୍କୁ ରାମ ମନ୍ଦିର ଜନ୍ମଭୂମି ଟ୍ରଷ୍ଟର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା।