ଭୁବନେଶ୍ୱର: ବିଧାୟକମାନଙ୍କର ବହୁ ବର୍ଷର ଦାବିକୁ ରାଜ୍ୟ ସରକାର ମାନି ନେଇ ତାଙ୍କ ଦରମା ବଢ଼ାଇଛନ୍ତି। ମାସିକ ଦରମା ୧ଲକ୍ଷରୁ ସିଧା ପ୍ରାୟ ସାଢ଼େ ୩ଲକ୍ଷକୁ ବଢ଼ିବା ଏବଂ ପିଛିଲା ଭାବେ ଏହାକୁ ଜୁନ୍, ୨୦୨୪ରୁ ଲାଗିବା ନେଇ ନିଷ୍ପତ୍ତା ହେବା ପରେ ମନ୍ତ୍ରୀ, ବିଧାୟକମାନେ ପୂରା ଖୁସିରେ ଗଦଗଦ୍ ହୋଇଛନ୍ତି। କିନ୍ତୁ ମନ୍ତ୍ରୀ, ବିଧାୟକଙ୍କର ଦରମା ହଠାତ୍ ସାଢ଼େ ୩ଗୁଣା ବଢ଼ିବାକୁ ସର୍ବସାଧାରଣରେ ନାପସନ୍ଦ କରାଯାଉଛି।
ମଙ୍ଗଳବାର ବିଧାନସଭାରେ ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ପାରିତ ବିଲ୍ ଅନୁଯାୟୀ ଏଣିକି ବିଧାୟକଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ମିଶାଇ ପହଞ୍ଚିଛି ସାଢେ ତିନି ଲକ୍ଷରେ। ତେବେ ଦେଶରେ ବିଧାୟକଙ୍କୁ ସବୁଠାରୁ ଅଧିକ ଦରମା ଦେଉଥିବା ରାଜ୍ୟ ଥିଲା ଝାଡ଼ଖଣ୍ଡ। ଏବେ ଝାଡ଼ଖଣ୍ଡକୁ ପଛରେ ପକାଇ ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିଛି।
ବିଧାୟକଙ୍କ ଦରମା ବଢ଼ିବା ନିଷ୍ପତ୍ତ ପରେ ଏଣିକି ବିଧାୟକମାନେ ମାସକୁ ୩ଲକ୍ଷ ୪୫ହଜାର, ମୁଖ୍ୟମନ୍ତ୍ରୀ ୩ଲକ୍ଷ ୭୪ହଜାର, ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀ ୩ଲକ୍ଷ ୬୮ହଜାର, ଉପବାଚସ୍ପତି ଓ ରାଷ୍ଟ୍ରମନ୍ତ୍ରୀ ୩ଲକ୍ଷ ୫୬ହଜାର, କ୍ୟାବିନେଟ୍ ମନ୍ତ୍ରୀ,ବିରୋଧୀ ଦଳ ନେତା, ସରକାରୀ ମୁଖ୍ୟ ସଚେତକ ୩ଲକ୍ଷ ୬୨ହଜାର, ଉପମୁଖ୍ୟ ସଚେତକ ୩ଲକ୍ଷ ୫୦ହଜାର ଟଙ୍କା ଦରମା, ଭତ୍ତା ବାବଦକୁ ପାଇବେ ବିଧାୟକ ଓ ଅନ୍ୟ ପ୍ରତିନିଧିଙ୍କୁ ଏହିଭଳି ମୋଟା ଅଙ୍କର ଦରମା ଦେବାରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ପାଲଟିଛି। ସାରା ଦେଶରେ କୌଣସି ରାଜ୍ୟରେ ବିଧାୟକଙ୍କ ଦରମା ୩ଲକ୍ଷ ଟପି ନଥିବାବେଳେ ଓଡ଼ିଶାରେ କିନ୍ତୁ ସର୍ବନିମ୍ନ ଦରମା ୩ଲକ୍ଷ ୪୫ହଜାର ଛୁଇଁଛି। ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି।
ନଜର ପକାନ୍ତୁ କେଉଁ ରାଜ୍ୟ ବିଧାୟକଙ୍କ କେତେ ଦରମା ?
ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶା ବିଧାୟକଙ୍କୁ ମାସିକ ଦରମା ଓ ଭତ୍ତା ପ୍ରଦାନରେ ଦେଶରେ ପୂର୍ବରୁ ୨୫ତମ ସ୍ଥାନରେ ଥିବାବେଳେ ଏବେ ପ୍ରଥମ ସ୍ଥାନରେ ପହଞ୍ଚିଛି। ସେହିପରି ଝାଡ଼ଖଣ୍ଡ ବିଧାୟକମାନଙ୍କୁ ମାସିକ ଦରମା ଓ ଭତ୍ତା ମିଶାଇ ମାସକୁ ୨ଲକ୍ଷ ୮୮ହଜାର ଟଙ୍କା ଦେଇ ଦ୍ବିତୀୟ ସ୍ଥାନରେ, ମହାରାଷ୍ଟ୍ର ୨ଲକ୍ଷ ୬୧ହଜାର ଦେଇ ତୃତୀୟ ସ୍ଥାନରେ ରହିଛନ୍ତି। ଏହାବ୍ୟତୀତ ଏହି ତାଲିକାରେ ତେଲେଙ୍ଗାନା ୨ଲକ୍ଷ ୫୦ହଜାର, ମଣିପୁର ୨.୫ଲକ୍ଷ, ହିମାଚଳ ପ୍ରଦେଶ ୨.୧୦ଲକ୍ଷ, କର୍ଣ୍ଣାଟକ ୨.୦୫ଲକ୍ଷ, ଉତ୍ତରାଖଣ୍ଡ ୨.୦୪ଲକ୍ଷ, ମେଘାଳୟ ୨.୦୨ଲକ୍ଷ, ଉତ୍ତରପ୍ରଦେଶ ୧.୮୭ଲକ୍ଷ, ବିହାର ୧.୬୫ଲକ୍ଷ, ସିକିମ୍ ୧.୬୫ଲକ୍ଷ, ଛତିଶଗଡ଼୧.୬୦ଲକ୍ଷ, ମିଜୋରାମ ୧,୫୦ଲକ୍ଷ, ମଧ୍ୟପ୍ରଦେଶ ୧.୫୦ଲକ୍ଷ, ରାଜସ୍ଥାନ ୧.୪୨ଲକ୍ଷ, ଗୁଜୁରାଟ ୧.୩୭ଲକ୍ଷ ଟଙ୍କା ପ୍ରଦ ପ୍ରଦାନ କରୁଛନ୍ତି। ତାଲିକାର ସବୁଠୁ ତଳେ କେରଳ ଅଛି। ଏଠାରେ ବିଧାୟକଙ୍କୁ ୭୦ହଜାର ଟଙ୍କା ଦରମା ଓ ଭତ୍ତା ବାବଦକୁ ମିଳୁଛି।
ସେହିପରି ଏଡିଆର୍ ତଥ୍ୟ ଅନୁଯାୟୀ, ଓଡ଼ିଶା ବିଧାନସଭାରେ ବିଜେପିର ୭୯ଜଣ ବିଧାୟକଙ୍କ ମଧ୍ୟରୁ ୫୩ଜଣ, ବିଜେଡିରୁ ୫୦ଜଣରୁ ୪୨ଜଣ, କଂଗ୍ରେସର ୧୪ରୁ ୯ଜଣ, ସିପିଆଇ(ଏମ୍)ର ଜଣେ, ୩ ସ୍ବାଧୀନ ବିଧାୟକଙ୍କ ମଧ୍ୟରୁ ୨ଜଣ କୋଟିପତି ଅଛନ୍ତି। ଏହିପରି ମୋଟ ୧୪୭ଜଣ ବିଧାୟକଙ୍କ ମଧ୍ୟରୁ ୧୦୭ଜଣ କୋଟିପତି ବିଧାୟକ ଓଡ଼ିଶାରେ ଅଛନ୍ତି।
ଅଧିକ ପଢନ୍ତୁ: ଜାନୁଆରୀରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଡାକ୍ତର ସଂଘ; ଦାବି ପୂରଣ ନହେବା ଯାଏଁ ଜାରି ରହିବ ପ୍ରତିବାଦ