ଭୁବନେଶ୍ୱର: କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଡାକ୍ତର। ଦାବି ପୂରଣ ପାଇଁ ଦୀର୍ଘ ଦିନ ଧରି ସଂଘର୍ଷ କରି ଆସୁଥିବା ଓଡିଶା ମେଡିକାଲ ସେବା ସଂଘ ଏଥର କଠୋର ନିଷ୍ପତି ନେଇଛି। ଜାନୁଆରୀରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏପରିକି ଓପିଡି ସେବାରେ ବି ସାମିଲ ହେବେନାହିଁ ବୋଲି କହିଛନ୍ତି। ଜାନୁଆରୀରେ ୧୮ ଦଫା ଦାବି ନେଇ ଡାକ୍ତରସଂଘ ଆନ୍ଦୋଳନକୁ ଓହ୍ଲାଇବେ। ଏନେଇ ଓମସା ରାଜ୍ୟ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଡାକ୍ତରମାନଙ୍କ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ ବୋଲି ଓମ୍ସା ସଭାପତି କହିଛନ୍ତି। ୧୮ ଦଫା ଦାବି ପୂରଣ ପାଇଁ ଓମ୍ସା ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି। ବିଗତ ଦିନରେ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କ ସହିତ ଓମସାର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲେ। ସଂଘର ଦାବିଗୁଡ଼ିକ ପୂରଣ କରିବା ଲାଗି ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଏଯାଏଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।
ସରକାର ବାରମ୍ବାର ଏଭଳି ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ କୌଣସି ଦାବି ପୂରଣ କରାଯାଉନାହିଁ ବୋଲି ସଂଘ ଅଭିଯୋଗ କରିଛି। ତେଣୁ ଏଥର କଠୋର ନିଷ୍ପତ୍ତି ନେଇଛି ସଂଘ। ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡ଼ିଲେ ମଧ୍ୟ ଆମେ ଆମର ଦାବି ପୂରଣ ପାଇଁ ଲଢେଇ ଜାରି ରଖିବୁ ବୋଲି କହିଛନ୍ତି ଓମ୍ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର।
ଅଧିକ ପଢନ୍ତୁ: ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ ବ୍ୟକ୍ତ କଲେ ମୋକିମ; କହିଲେ ଭକ୍ତ ଦାସ ଥିବା ଯାଏଁ ଓଡ଼ିଶାରେ ଉଧେଇପାରିବନି କଂଗ୍ରେସ