ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ସ୍ଥିତି ପରଖିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ରିପୋର୍ଟ ଦେଇଛନ୍ତି ।
ସେପଟେ ଏମଭି ୨୬ ଗ୍ରାମରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି । ପ୍ରାଥମିକ ରିପୋର୍ଟରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ଏଥିରେ ପୋଡ଼ି ଯାଇଥିବା ଘରଗୁଡ଼ିକୁ ସାମିଲ କରାଯାଇ ନାହିଁ । ଚାରୋଟି ଇଞ୍ଜିନିୟରିଂ ଟିମ୍ ଆକଳନ କରୁଛନ୍ତି । ମୋଟ ୨୪୦ ଘର ଏବଂ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ, କମ୍ବଳ ଓ ଚାଦର ବଣ୍ଟନ କରାଯାଉଛି । ଗର୍ଭବତୀ ମହିଳା ଏବଂ ଶିଶୁଙ୍କୁ ଆଇସିଡିଏସ ପକ୍ଷରୁ ଖାଦ୍ୟ ସାମଗ୍ରୀ ଦିଆଯାଉଛି ।
ଗତକାଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରି ପହଁଚି ସ୍ଥିତି ସମୀକ୍ଷା କରିଥିଲେ । ଏଡିଜି ସଞ୍ଜିବ ପଣ୍ଡା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କେଭି ସିଂ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏବଂ ଏସପି ବିନୋଦ ପାଟିଲ୍ ଏଚ୍. ପ୍ରମୁଖଙ୍କ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ କ୍ଷୟକ୍ଷତି ନେଇ ଆଲୋଚନା କରାଯାଇଥିଲା । ଭାଗ ଚାଷକୁ ନେଇ ମହିଳାଙ୍କୁ ହତ୍ୟା କରାଯିବା ପରେ ଏମଭି ୨୬ ଏବଂ ରାଖେଲଗୁଡ଼ା ଗ୍ରାମ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।