ବରଗଡ଼: ବେଆଇନ କଫ୍ ସିରପ୍ ଚାଲାଣ ବେଳେ ବରଗଡ଼ ଟାଉନ ଥାନା ପୋଲିସ ମାଡ଼ିବସିଛି । ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି। ଏହା ସହିତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ପୋଲିସ । ସେମାନେ ହେଲେ ବରଗଡ଼ ସହର ବିଶିପଡ଼ାର ସୁରଜଲ ନାଗ(୨୦) ଏବଂ ଖଲିଆପାଲି କେନାଲପଡ଼ାର ସିକ୍ରେଟି ଚୌଧୁରୀ (୨୯)। ସେମାନଙ୍କ ପାଖରୁ ୨୭୦୦ ବୋତଲ କଫ୍ ସିରପ୍ ସହିତ ୨ଟି ସ୍କୁଟି, ଗୋଟିଏ ମୋବାଇଲ ଜବତ ହୋଇଛି। ତେବେ କଫ୍ ସିରପ ଚାଲାଣରେ ବ୍ୟବହୃତ ପିକ୍ଅପ୍ ଭ୍ୟାନ୍ ସହିତ ଅନ୍ୟ କେତେକ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ପୋଲିସ ସେମାନଙ୍କୁ ଧରିବା ପାଇଁ ବ୍ୟାପକ ତନାଘନା ଚଳାଇଛି।
ପ୍ରକାଶ ଥାଉକି, ବେଆଇନ କଫ୍ ସିରପ ଚୋରା ଚାଲାଣ ଓ ବ୍ୟବସାୟ କାରବାରରେ ରାଜ୍ୟ ପୋଲିସ ଏଯାବତ୍ ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ୧୮୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି ରାଜ୍ୟ ପୋଲିସ । ବରଗଡ଼ ଜିଲ୍ଲାରେ ୧୭ଟି ମାମଲାରେ ୧୨,୮୫୬ ବୋତଲ ଜବତ ହୋଇଛି । ବରଗଡ଼ ପୋଲିସ ୬୪ ଜଣଙ୍କୁ ଗିରଫ କରିଛି ।