ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ବଡ଼ ପ୍ରଦେଶ ସ୍ତରୀୟ ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ ହେଉଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଷ୍ଟ୍ରୀୟ ସଂଗଠକ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ, ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାଲ , ସହ ପ୍ରଭାରୀ ଲତା ଉଷେଣ୍ଡି ପ୍ରମୁଖ ଯୋଗ ଦେଇଛନ୍ତି ।
ଏହି କର୍ମଶାଳାରେ ନୂତନ ଭାବେ ଗଠିତ ଟିମକୁ ଗୁରୁମନ୍ତ୍ର ଦେବେ । ଏଥିରେ 7ଟି ମୋର୍ଚ୍ଚା ନୂତନ ସଭାପତି, ସମ୍ପାଦକ, ଜିଲ୍ଲା ପ୍ରଭାରୀ ପ୍ରମୁଖ ସାମିଲ ହୋଇଛନ୍ତି । ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି କିପରି ମଜବୁତ କରିହେବ ସେ ନେଇ ପରାମର୍ଶ ଦିଆଯିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ମୋର୍ଚ୍ଚା ସଭାପତି ଘୋଷଣା କରାଯାଇଥିଲା । ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ହୋଇଛନ୍ତି ଅଭିଳାଷ ପଣ୍ଡା ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ହୋଇଛନ୍ତି ଡାକ୍ତର ଐଶ୍ୱର୍ଯ୍ୟା ବିଶ୍ୱାଳ । ସେହିପରି ଶୁଭ୍ରାଂଶୁ ମୋହନ ପାଢ଼ୀ କୃଷକ ମୋର୍ଚ୍ଚା ସଭାପତି, କନ୍ଦ୍ରେରା ସୋରେନ୍ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି, ବାଇଧର ମଲ୍ଲିକ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି, ପ୍ରଦ୍ୟୁମ୍ନ ନାୟକ ଓବିସି ମୋର୍ଚ୍ଚା ସଭାପତି ଏବଂ ଗୁରିନ୍ଦର ସିଂହ ଅଳ୍ପସଂଖ୍ୟକ ମୋର୍ଚ୍ଚାର ସଭାପତି ହୋଇଛନ୍ତି । ରଞ୍ଜନ କୁମାର ପଟେଲ୍, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ଖୋର୍ଦ୍ଧାର ସୁଦିପ୍ତ କୁମାର ରାଏ ସେଲ୍ ଇନଚାର୍ଜ ହୋଇଛନ୍ତି । ଦେବେନ୍ଦ୍ର ନନ୍ଦ କାର୍ଯ୍ୟାଳୟ ସମ୍ପାଦକ ହୋଇଥିବାବେଳେ ଜ୍ୟୋତି ରଞ୍ଜନ ନାଏକଙ୍କୁ ଆଇଟି ଦାୟିତ୍ୱ ମିଳିଛି । ସେହିପରି ୩୭ ଜଣଙ୍କୁ ଜିଲ୍ଲା ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।