ଭୁବନେଶ୍ୱର: ରାଜ୍ୟ ରେ ଚଳିତ ଖରିଫ ଧନ ବିକ୍ରି କୁ ନେଇ ଚାଲିଥିବା ସମସ୍ୟା ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚଳିତ ବର୍ଷ ଖରିଫ ଧନ ବିକ୍ରି କୁ ନେଇ ଚାଷୀ ସଙ୍ଗଠନ ପକ୍ଷରୁ ଗତ କିଛି ଦିନ ପୂର୍ବରୁ ଆନ୍ଦୋଳନ କରାଯାଇଥିଲା । ଚାଷୀ, ପ୍ରଶାସନ ଓ ମିଲର୍ସଙ୍କ ମଧ୍ୟ ରେ ଆଲୋଚନା ପରେ ଧନ ବିକ୍ରି ଆରମ୍ଭ ହୋଇ ସୁଚାରୁ ରୂପେ ଚାଲିଥିଲା। ଆଜି ପୁଣି ଟୋକାନ ସମସ୍ୟା କୁ ନେଇ ଚାଷୀ ରାଜ ରାସ୍ତାକୁ ଓହ୍ଲାଇଛନ୍ତି।
ଆନ୍ଦୋଳନ ସମ୍ପର୍କରେ ସୂଚନା ପାଇବା ପରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଫୋନ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସହିତ ସମସ୍ତ ବିଷୟ ରେ ଆଲୋଚନା କରିଛନ୍ତି ଓ ସମସ୍ତ ସମସ୍ୟା ର ଶୀଘ୍ର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଏହା ପୂର୍ବ ରୁ ଓଡ଼ିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଏଫ.ସି.ଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଉଷୁନା ଧାନ କିଣିବା ସହ ଚାଉଳର ଶୀଘ୍ର ଉଠାଣ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଯୋଶୀ ଙ୍କୁ ସାକ୍ଷାତ୍ କରି ଅନୁରୋଧ କରିଥିଲେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ଅନୁରୋଧ କ୍ରମେ, ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କ ସ୍ୱାର୍ଥକୁ ରକ୍ଷା କରି ଖରିଫ ଫସଲ ପାଇଁ ଧାନ କିଣିବା ଲକ୍ଷ୍ୟକୁ ୪୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୪୭ ଲକ୍ଷ ମେଟ୍ରିକ୍ ଟନ୍ କରାଯାଇଛି । ସେହିପରି ରବି ଫସଲ ପାଇଁ ଏହି ଲକ୍ଷ୍ୟକୁ ୧୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୧୧ ଲକ୍ଷ ମେଟ୍ରିକ୍ ଟନ୍ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହା ସହ ଧାନ କିଣା ଲକ୍ଷ୍ୟରେ ୮ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି ତଥା ମୋଟ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ନିଷ୍ପତ୍ତି ନିଆଯାଇଥିଲା।