ନୂଆଦିଲ୍ଲୀ: ଲୋକସଭାରେ ମନରେଗାର ନାଁ ବଦଳାଇବା ପାଇଁ ଉଦ୍ଦିଷ୍ଟ ବିଧେୟକ ଉପସ୍ଥାପିତ ହୋଇଛି । ଏବେ ଏହାର ନାମ ଭିବି-ଜି ରାମ ଜି ରହିବ । ଏହାକୁ ନେଇ ଗୃହରେ ବିତର୍କ ଆରମ୍ଭ ହୋଇ ଯାଇଛି । କଂଗ୍ରେସର ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏହି ବିଧେୟକ ଜରିଆରେ କେନ୍ଦ୍ର ସରକାରଙ୍କ ଅଧିକାର ତ ବଢି ଯାଉଛି ମାତ୍ର ଏହାର ଫଣ୍ଡିଂ କମି ଚାଲିଛି । ପ୍ରତିଟି ଯୋଜନାର ନାଁ ବଦଳାଇବାର ଏହା କିପରି ମାନସିକତା ବୁଝି ହେଉନି ।
କଂଗ୍ରେସର ଏହି ସାଂସଦ କହିଛନ୍ତି ଏମିତି ଯେବେ ନାଁ ବଦଳାଯିବ ସରକାରଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ନୂଆ ବିଲ୍ ସମ୍ବିଧାନର ମୂଳ ଭାବନା ବିରୋଧୀ ରହିଛି । ଏଥିରେ ଶ୍ରମିକଙ୍କ କାର୍ଯ୍ୟ ଦିବସ ସଂଖ୍ୟା ୧୦୦ରୁ ୧୨୫ ଦିନ ତ କରାଯାଇଛି, କିନ୍ତୁ ଏଥିରେ ପାରିଶ୍ରମିକ ବିଷୟରେ କିଛି ଉଲ୍ଲେଖ ନାହିଁ ।
ପ୍ରିୟଙ୍କା ମହାତ୍ମା ଗାନ୍ଧୀଙ୍କ ନାଁ ଯୋଜନାରୁ ହଟାଯିବାକୁ ପ୍ରବଳ ବିରୋଧ କରିଛନ୍ତି । ଏହି ସମୟରେ ବିଜେପିର ସାଂସଦମାନେ କିଛି କହିବାରୁ, ପ୍ରିୟଙ୍କା ଜବାବ ଦେଇ କହିଛନ୍ତି, ମହାତ୍ମା ଗାନ୍ଧୀ ମୋ ପରିବାରର ସଦସ୍ୟ ନ ଥିଲେ । ମାତ୍ର ପରିବାରର ସଦସ୍ୟ ପରି ଥିଲେ । କୌଣସି ଜଣେ ବ୍ୟକ୍ତିଙ୍କ ପାଗଳାମୀ ପାଇଁ ଏମିତି ନାଁ ପରିବର୍ତ୍ତନ କରାଯିବା ଉଚିତ୍ ନୁହେଁ ।
ଏହି ବିଧେୟକକୁ ନେଇ ଗୃହରେ କୌଣସି ଆଲୋଚନା ହୋଇ ନାହିଁ । ଏଥିପାଇଁ ମୋର ରୟାୟ ପ୍ରଥମେ ସଂସଦରେ ବିତର୍କ ହେଉ ଏବଂ ଆବଶ୍ୟକ ପ୍ରସ୍ତାବକୁ ସାମିଲ୍ କରାଯାଇ ନୂଆ ବିଧେୟକ ଅଣାଯାଉ ବୋଲି ପ୍ରିୟଙ୍କା କହିଛନ୍ତି । ଏହି ବିଧେୟକକୁ ଆଜି କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉପସ୍ଥାପନ କରିଛନ୍ତି, ଯାହା ଉପରେ ବିତର୍କ ଚାଲିଛି । ଅନ୍ୟ ବିରୋଧୀ ଦଳର ସଦସ୍ୟ ମଧ୍ୟ ଏମିତି ନାମ ପରିବର୍ତ୍ତନକୁ ନାପସନ୍ଦ କରିଛନ୍ତି ।
Also read: ରାହୁଲ ଓ ସୋନିଆଙ୍କୁ ବଡ ଆଶ୍ୱସ୍ତି, ଇଡିର ଚାର୍ଜସିଟ ଉପରେ ଶୁଣାଣି କରିବାକୁ ମନା କଲେ କୋର୍ଟ