ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ନ୍ୟାସନାଲ ହେରାଲ୍ଡ କେସରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଅଦାଲତ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ଇଡି କେସରୁ ବଡ ଆଶ୍ୱସ୍ତି ଦେଇଛନ୍ତି । ଜଜ ବିଶାଳ ଗୋଗନେଙ୍କ ଖଣ୍ଡପୀଠ ମାମଲାରେ ଇଡିର ଚାର୍ଜସିଟ୍ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି । ପୀଠ କହିଛନ୍ତି, ଯେବେ ଏହି ମାମଲାରେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ଯାଞ୍ଚ କରୁଛି, ଇଡି ଚାର୍ଜସିଟ୍ ଉପରେ ଶୁଣାଣିର କୌଣସି ଆବଶ୍ୟକତା ନାହିଁ ।
ଜଜ ବିଶାଳ ଗୋଗନେ କହିଛନ୍ତି, ଏହି ମାମଲାରେ ସୁବ୍ରମଣ୍ୟମ ସ୍ୱାମୀ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଅଭିଯୋଗ କରିଥିଲେ । ଏଥିରେ କୌଣସି ଏଫଆଇଆର ରୁଜୁ ହୋଇ ନ ଥିଲା । ଏମିତି ସ୍ଥିତିରେ ଏହି ମାମଲା ମନି ଲଣ୍ଡ୍ରିଂ ଆକ୍ଟ ଅନ୍ତର୍ଗତରେ ଆସୁନାହିଁ । ଇଡି ଏହି ମାମଲାକୁ ନିଜ ହାତକୁ ନେଇ ପାରିବ ନାହିଁ । କିନ୍ତୁ ଦିଲ୍ଲୀ ପୋଲିସ କେସରେ କୋର୍ଟ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଅନ୍ୟ ୫ ଅଭିଯୁକ୍ତଙ୍କୁ ଗୋଟିଏ ଝଟକା ମଧ୍ୟ ଦେଇଛନ୍ତି ।
ଅଦାଲତ କହିଛନ୍ତି, ସୋନିଆ, ରାହୁଲ ଓ ଅନ୍ୟ ୫ ଅଭିଯୁକ୍ତଙ୍କର ଏହା ଅଧିକାର ନୁହେଁ ଯେ, ସେମାନଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ଏଫଆଇଆରର କପି ପ୍ରଦାନ କରିବେ । ଜଜ କହିଛନ୍ତି, ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ଏହି ଏଫଆଇଆର ରୁଜୁ କରିଛି । ତେଣୁ ଏହି ଶାଖା କଣ କଣ ଏଫଆଇଆରରେ ରହିଛି ଜଣାଇ ପାରିବେ । କିନ୍ତୁ ଏହାର ନକଲ ଦେବାର କୌଣସି ଆବଶ୍ୟକତା ନାହିଁ ।
ଗାନ୍ଧୀ ପରିବାର ପାଇଁ ଇଡି ମାମଲାରେ ଆଶ୍ୱସ୍ତି ମିଳିବା ବହୁତ ବଡ କଥା । ଯଦି ସେମାନଙ୍କ ବିରୋଧରେ ଏହି କେସ ଚାଲିଥାନ୍ତା ତେବେ ଗିରଫଦାରୀର ଖଣ୍ଡ ମଧ୍ୟ ଝୁଲିଥାନ୍ତା । ଏମିତିରେ ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ କେସରେ ସେମାନଙ୍କୁ ତତ୍କାଳ ଗିରଫ କରାଯାଇ ପାରିବ ନାହିଁ । ଏହା ପୂର୍ବରୁ ମାଜିଷ୍ଟ୍ରେଟ କୋର୍ଟ ଦିଲ୍ଲୀ ପୋଲିସକୁ ଆଦେଶ ଦେଇଥିଲେ ଯେ, ଏଫଆଇଆରର କପି ସୋନିଆ ଓ ରାହୁଲଙ୍କ ସମେତ ଅନ୍ୟ ୫ ଜଣଙ୍କୁ ପ୍ରଦାନ କରାଯାଉ । କିନ୍ତୁ ଏହି ମାମଲା ଯେବେ ରାଉଜ ଏଭେନ୍ୟୁ କୋର୍ଟକୁ ଆସିଲା ଜଜ ଏହାକୁ ବଦଳାଇ ଦେଇଛନ୍ତି ।
Also read: ଜମ୍ମୁ କଶ୍ମୀର ଏବଂ ଲଦାଖ ଆମର ଥିଲା, ଅଛି ଏବଂ ରହିବ...