ନୂଆଦିଲ୍ଲୀ: ଭୁବନେଶ୍ୱର କିସ୍ ଛାତ୍ର ହତ୍ୟା ମାମଲାରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ହସ୍ତକ୍ଷେପ କରିଛନ୍ତି । ଏହି ଘଟଣାରେ ନିଜ ଆଡ଼ୁ ମାମଲା କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ । ରାଜ୍ୟ ଗଣଶିକ୍ଷା ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ ଆୟୋଗ ଜବାବ ତଲବ କରିଛନ୍ତି । କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମସ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଏପରିକି ଆୟୋଗର ସଦସ୍ୟ ଆଗାମୀ ଦିନରେ ଓଡ଼ିଶା ଆସି ତଦନ୍ତ କରିବେ ବୋଲି କହିଛନ୍ତି ଆୟୋଗ ସଦସ୍ୟ ଜେ ହୁସେନ୍ ।
ଏହା କିସ୍ ପାଇଁ କୌଣସି ନୂଆ କଥା ନୁହେଁ ବୋଲି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଓଡ଼ିଶାରେ ଯେତେ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି ସେମାନଙ୍କର ସାମ୍ରାଜ୍ୟ ଅଛି । ସେମାନେ ସରକାରୀ ଜାଗା ଜବରଦଖଲ କରି ସଂସ୍ଥା ଚଲାଉଛନ୍ତି । ଏପରି ଅନେକ ଘଟଣା ଘଟୁଛି । ଆଗରୁ ଏପରି ହେଉଥିଲା, କିନ୍ତୁ ଏ ସରକାର ସେପରି କିଛି ହେବ ନାହିଁ । କିସ୍ କର୍ତ୍ତୃପକ୍ଷ ବିଜେଡ଼ି ଦଳର ସାଂସଦ ଥିବାରୁ ତାଙ୍କ ଦଳ ତାଙ୍କୁ ସୁରକ୍ଷା ଦେଉଥିଲା । କିନ୍ତୁ ଆଜିର ସ୍ୱଚ୍ଛ ସରକାରରେ ସେଭଳି କିଛି ଚଳିବ । ତେଣୁ ଏହି ମାମଲାରେ ତଦନ୍ତ ହେଲେ ସମସ୍ତ ଘଟଣା ପଦାକୁ ଆସିବ । ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଅଛନ୍ତି ।
ପୂର୍ବ ସରକାରରେ କେହି ମୁହଁ ଖୋଲି ପାରୁନଥିଲେ । ଏ ସରକାର ଅପରାଧ ହେଲେ ଲୋକଲୋଚନକୁ ଆସୁଛି । ସମସ୍ତେ ପଦାକୁ ଆଣୁଛନ୍ତି । ଶହେରୁ ୬୦ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦଣ୍ଡବିଧାନ କରୁଛନ୍ତି ବୋଲି କହିଛନ୍ତି ସନ୍ତୋଷ ଖଟୁଆ ।