ଭୁବନେଶ୍ୱର : ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଘୂରି ବୁଲୁଛି ଗୁଳିବିଦ୍ଧ ଅସୁସ୍ଥ ଦନ୍ତାହାତୀ । ବିରାଟକାୟ ଦନ୍ତା ହାତୀର ବାମ ଗୋଡ଼ରେ ଗୁଳିବାଜି ପ୍ରଚୁର ରକ୍ତସ୍ରାବ ହେଉଛି । ଛୋଟେଇ ଛୋଟେଇ ହାତଟି ଚନ୍ଦକା ରେଞ୍ଜ ଅଞ୍ଚଳରେ ଘୁରି ବୁଲୁଛି । ଏହି ଖବର ପାଇବା ପରେ ଚନ୍ଦକା ବନବିଭାଗ ତତ୍ପର ହୋଇ ପଡ଼ିଛି । ଦନ୍ତାକୁ ଶୀଘ୍ର ଠାବ କରି ତା’ର ଚିକିତ୍ସା କରିବା ପାଇଁ ଡିଏଫ୍ଓ ବିନୋଦ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ବନ କର୍ମଚାରୀମାନେ ଦନ୍ତାକୁ ଠାବ କରିବା ପାଇଁ ରାତିରେ ଜଙ୍ଗଲ ମଧ୍ୟରେ ଡ୍ରୋନ ଦ୍ବାରା ହାତୀର ଲୋକେସନ ଟ୍ରେସ କରାଯାଉଛି । ଦନ୍ତା ଠାବ ହେବାପରେ ତାକୁ ଟ୍ରାଙ୍କୁଲାଇଜର ମାଡ଼ କରି ଚିକିତ୍ସା କରାଯିବ ବୋଲି ଡିଏଫ୍ଓ କହିଛନ୍ତି ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ବୁଧବାର ଅପରାହ୍ନରେ ଏକ ବିରାଟକାୟ ଦନ୍ତା ଚନ୍ଦକା ଏସ୍ଓଜି କ୍ୟାମ୍ପସ ପଛପଟେ ବହୁ ଦୂରରେ ଛୋଟେଇ ଛୋଟେଇ ଚାଲୁଥିଲା । ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା କିଛି ଲୋକଙ୍କୁ ଦନ୍ତା ଆକ୍ରମଣ କରିବାକୁ ମାଡି ଆସିଥିଲା । ଦନ୍ତାକୁ ଦେଖି ଭୟରେ ସେମାନେ ଦୌଡ଼ି ପଳାଇ ଆସିଥିଲେ । ତେବେ ଦନ୍ତାର ବାମ ଗୋଡ଼ରେ ଗଭୀର କ୍ଷତ ହୋଇ ସେଥିରୁ ରକ୍ତସ୍ରାବ ହେଉଥିଲା ବୋଲି ସେମାନେ ଦେଖିଥିଲେ । ତେଣୁ କେହି ଶିକାରୀ ଦାନ୍ତ ପାଇଁ ଦନ୍ତାକୁ ଗୁଳିମାଡ଼ କରିଥିବା ସେମାନେ କହିଛନ୍ତି । ଏହାପରେ ସେମାନେ ଚନ୍ଦକା ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବରପାଇ ଡିଏଫ୍ଓଙ୍କ ନିର୍ଦ୍ଦେଶରେ ଚନ୍ଦକା ଓ ଡମପଡ଼ା ରେଞ୍ଜ ବନ କର୍ମଚାରୀମାନେ କ୍ଷତାକ୍ତ ଦନ୍ତାକୁ ଖୋଜିବାରେ ଲାଗି ପଡ଼ିଛନ୍ତି । ତେବେ ଦନ୍ତାକୁ ଗୁଳିମାଡ଼ ହୋଇଛି କି ନା ଆଉ କେଉଁପରି ତା’ ଗୋଡ଼ରେ କ୍ଷତ ହୋଇଛି ଦନ୍ତା ଠାବ ହେବାପରେ ସେନେଇ ସ୍ପଷ୍ଟ ହେବ ବୋଲି ଡିଏଫ୍ଓ କହିଛନ୍ତି ।