ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ବଡ଼ ବୈଠକ ବସିଛି। ବିଜେପି ବିଧାୟକ ଦଳର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ରହିଛନ୍ତି। ବୈଠକରେ ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି।
ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆସି କରିଥିଲେ ବୈଠକ। ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତିଙ୍କ ସହ କରିଥିଲେ ରୁଦ୍ଧ ଦ୍ୱାର ଆଲୋଚନା। ଏହା ସହ ଦିନକ ତଳେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଆଜି ବୈଠକରେ କଣ ଆଲୋଚନା ହେଉଛି ତାଉପରେ ନଜର ରହିଛି।
ସେପଟେ ବୈଜୟନ୍ତ ପଣ୍ଡାଙ୍କୁ ବିଜେପିର ବଡ଼ ଦାୟିତ୍ୱ ମିଳିଛି। ଆସାମ ବିଧାନସଭା ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ପ୍ରଭାରୀ ନିଯୁକ୍ତ କରିଛି ବିଜେପି। ବୈଜୟନ୍ତ ପଣ୍ଡା ଏବେ ବିଜେପିର ଜାତୀୟ ଉପସଭାପତି ଅଛନ୍ତି। ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁସ୍ ଗୋଏଲଙ୍କୁ ତାମିଲନାଡୁ ପ୍ରଭାରୀ ନିଯୁକ୍ତ କରିଛି ଦଳ। ଦଳର ସଭାପତି ଜେପି ନଡ୍ଡା ଅନୁମୋଦନ କ୍ରମେ ବୈଜୟନ୍ତ, ପିୟୁସଙ୍କୁ ପଭାରୀ ନିଯୁକ୍ତ କରିଛି ବିଜେପି।
ଆସନ୍ତା ବର୍ଷ ଏହି ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି। ବିହାରର ଏନଡିଏ ସରକାରର ମନ୍ତ୍ରୀ ଥିବା ନୀତିନ ନବୀନ ହୋଇଛନ୍ତି ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ। ଭାରତୀୟ ଜନତା ପାର୍ଟି ନୀତିନ ନବୀନଙ୍କୁ ଏହି ବଡ଼ ଦାୟିତ୍ୱ ଦେଇଥିବାବେଳେ, ବିଜେପିର ସଂସଦୀୟ ବୋର୍ଡ ତାଙ୍କୁ ଦଳର ଜାତୀୟ କାର୍ଯ୍ୟକାରିଣୀ ସଭାପତି ଭାବେ ନିଯୁକ୍ତ କରିଛି। ହେଲେ ଜଣେ ଯୁବ ଚେହେରା, ବିଧାୟକରୁ ମନ୍ତ୍ରୀ ହୋଇଥିବା ନେତା, ଆଉ ଉତ୍ତମ ସଙ୍ଗଠକଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରି ବଡ଼ ସଙ୍କେତ ଦେଇଛି ଭାରତୀୟ ଜନତା ପାର୍ଟି।