ଭୁବନେଶ୍ୱର: ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ଏବଂ ବିଜୟ-ମୋକିମ ଭେଟଘାଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ । ଯେତେ ଦଳ ଗଠନ ହେଲେ ବିଜେଡ଼ିର କୌଣସି କ୍ଷତି ହେବ ନାହିଁ ବୋଲି ଦୃଢ଼ତାର ସହ କହିଛନ୍ତି ପ୍ରମିଳା ।
ଗତକାଲି ମହମ୍ମଦ ମୋକିମ ଏବଂ ବିଜୟ ମହାପାତ୍ର ଭେଟଘାଟକୁ ନେଇ ଗଣମାଧ୍ୟମ ପ୍ରମିଳାଙ୍କୁ ପ୍ରଶ୍ନ କରିଛନ୍ତି । ପ୍ରମିଳା ଏହାର ଜବାବରେ କହିଛନ୍ତି ଯେଉଁମାନେ ସମୀକରଣ ତିଆରି କରୁଛନ୍ତି ସେମାନେ ଜାଣିଥିବେ କେତେ ସଫଳ ହେବେ ବିଫଳ ହେବେ । ସେମାନଙ୍କ ଭିତରୁ ବହୁତ ନେତା ଆଗରୁ ଦଳ ତିଆରି କରିଛନ୍ତି, ସେଗୁଡ଼ିକ ବର୍ଷେ ଦୁଇ ବର୍ଷରେ ଉଭାନ ହୋଇଯାଇଛି । ଯେତେ ପ୍ରକାର ଦଳ ତିଆରି କଲେ ମଧ୍ୟ ବିଜୁ ଜନତା ଦଳର କୌଣସି କ୍ଷତି ହେବ ନାହିଁ । କାରଣ ସାରା ଓଡ଼ିଶାର ଲୋକ ବିଜୁ ବାବୁଙ୍କୁ ଏବଂ ନବୀନ ପଟ୍ଟନାୟକଙ୍କୁ ଭଲ ପାଆନ୍ତି । ତେଣୁ ତାଙ୍କର କୌଣସି କ୍ଷତି ହେବ ନାହିଁ ।
ଯିଏ ସମୀକରଣ ତିଆରି କରୁଛନ୍ତି, ସେମାନେ ଜାଣିଥିବେ ଲୋକେ ଯଦି ତାଙ୍କୁ ଭଲ ପାଉଛନ୍ତି ଦଳ ତିଆରି କରନ୍ତୁ । ଭବିଷ୍ୟତ କହିବ ଲୋକେ ତାଙ୍କୁ ଗ୍ରହଣ କରିବେ । ବିଜେଡ଼ିରେ ଯିଏ ବିଶୃଙ୍ଖଳିତ ଆଚରଣ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବିଦା କରିଛନ୍ତି । ଦଳରୁ ଯେତେବେଳେ ଅଧିକ ଲୋକ ବିଦା ହୋଇଛନ୍ତି ଯାଇଛନ୍ତି ସେତେବେଳେ ଆହୁରି ଅଧିକ ଭୋଟରେ ବିଜେଡ଼ି ଜିତିଛି । ସିଏ ବିଜେପି, ବିଜେଡ଼ି କିମ୍ବା କଂଗ୍ରେସକୁ ଚ୍ୟାଲେଞ୍ଜ କରୁଛନ୍ତି କରନ୍ତୁ । ସେ କେତେ ଦିନ ତିଷ୍ଠି ରହି ପାରିବେ ଦେଖାଯିବ । ତାଙ୍କ ସହିତ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।
କଂଗ୍ରେସ ଦଳରୁ ବହିଷ୍କୃତ ହୋଇଥିବା ମହମ୍ମଦ ମୋକିମ ଗତକାଲି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଭେଟିଥିଲେ । ରାଜ୍ୟରେ ଏକ ନୂଆ ଆଞ୍ଚଳିକ ଦଳ ଗଢ଼ି ଉଠିବ ବୋଲି ଚର୍ଚ୍ଚା ଜୋର୍ ଧରିଛି । ମୋକିମ ଏବଂ ବିଜୟ ଉଭୟ କହିଥିଲେ ଯେ ପୂର୍ବରୁ ମଧ୍ୟ ଦେଖା ସାକ୍ଷାତ ହୁଏ, ଏବେ ମଧ୍ୟ ହୋଇଛି । ନୂଆ ଦଳ ଗଠନ ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ ।
Also read: ବିଧାୟକଙ୍କ ଦରମା ବୃଦ୍ଧି ଉପରେ ପୁନର୍ବିଚାର ପାଇଁ ପ୍ରସ୍ତାବ ରଖିଲା ବିଜେଡ଼ି