ଭୁବନେଶ୍ୱର: ବିଧାୟକଙ୍କ ଭତ୍ତା ଓ ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରଥମେ ବିଜେପି ପ୍ରସ୍ତାବ ରଖିବା ପରେ ଏବେ ବିଜୁ ଜନତା ଦଳ ମଧ୍ୟ ସେହି ରାସ୍ତାରେ ଯାଇଛି । ଏହି ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବାକୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଲିଖିତ ପ୍ରସ୍ତାବ ଦେଇଛନ୍ତି ।
ଶୁକ୍ରବାର ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଏ ବାବଦରେ ସୂଚନା ପ୍ରଦାନ କରିଛନ୍ତି । ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବରେ ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ପୁନର୍ବିଚାର କରିବାକୁ ଦଳ ନିବେଦନ କରିଛି । ମୁଖ୍ୟ ସଚେତକ କହିଛନ୍ତି ଯେ ବିଧାୟକଙ୍କ ଭତ୍ତା ଓ ଦରମା ବୃଦ୍ଧି ନେଇ ସରକାର ବିଧେୟକ ଆଗତ କରିଥିଲେ । ବିଜେଡ଼ି ମଧ୍ୟ ସମର୍ଥନ ଦେଇଥିଲା ଏବଂ ବିଲ୍ ପାରିତ ହୋଇଥିଲା । କିନ୍ତୁ ଏହା ପରେ ରାଜ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ଓଡ଼ିଶାର ଜନମତ ବିଲ୍ ବିରୋଧରେ ଯାଉଥିବାରୁ ଦଳ ଏହି ନିଷ୍ପତ୍ତି ନେଇଛି । ଲୋକମତକୁ ସମ୍ମାନ ଦେଇ ପାରିତ ବିଧେୟକ ଉପରେ ପୁନର୍ବିଚାର କରିବାକୁ ବିଜେଡ଼ି ପ୍ରସ୍ତାବ ରଖିଛି ।
ଗତ ୯ ତାରିଖରେ ବିଧାୟକଙ୍କ ଭତ୍ତା ଓ ଦରମା ୩ ଗୁଣା ବୃଦ୍ଧି ନେଇ ବିଲ୍ ପାରିତ ହୋଇଥିଲା । ଏଥିରେ ବିଧାୟକଙ୍କ ମୋଟ ଦରମା ଓ ଭତ୍ତା ୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। କିନ୍ତୁ ଏହା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ବଢିଥିଲା । ଏହି ବିଧେୟକକୁ ସମସ୍ତ କ୍ଷେତ୍ରରେ ତୀବ୍ର ବିରୋଧ କରାଯାଇଥିଲା । ଏହା ପରେ ଗତକାଲି ଭାରତୀୟ ଜନତା ପାର୍ଟି ପ୍ରଥମେ ବିଧାୟକ ଦଳ ବୈଠକ କରି ପାରିତ ବିଧେୟକ ଉପରେ ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନବିର୍ଚାର ପାଇଁ ସମସ୍ତ ବିଜେପି ସଦସ୍ୟ ଲିଖିତ ପ୍ରସ୍ତାବ ଦେଇଥିଲେ । ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଥିବା ସେ କହିଥିଲେ ।