ରାୟଗଡା : ପୁଣି ଦାଦନ ଖଟିବାକୁ ଯାଇ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦରେ ଫସିଲେ ଓଡ଼ିଆ ଯୁବକ। କେବଳ ଜଣେ ନୁହେଁ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ଅଞ୍ଚଳର ୯ଜଣ ଯୁବକ ହାଇଦ୍ରାବାଦରେ ଫସି ରହିଛନ୍ତି। ଖାଇବା ପିଇବା ପାଇଁ ତାଙ୍କ ପାଖରେ ଟଙ୍କା ଟିଏ ବି ନାହିଁ। ଏପରିକି ଭୋକ ଉପାସରେ ସେମାନେ ଏକ ଘର ଭିତରେ ବନ୍ଦ ରହିଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରିବା ପାଇଁ ସେମାନେ ଏକ ଭିଡିଓ ମାଧ୍ୟମରେ ରାୟଗଡା ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, ଗତ ନଭେମ୍ବର ମାସରେ ଦଲାଲଙ୍କ ସହାୟତାରେ ଗୋରଖପୁର ଅଞ୍ଚଳର ୯ଜଣ ଯୁବକ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ। ତେବେ ଉକ୍ତ ସ୍ଥାନରେ ତାଙ୍କୁ କମ୍ପାନୀ ତରଫରୁ କୈଣସି କାମ ମିଳିନଥିବା ବେଳେ ଏକ କୋଠରୀ ଭିତରେ ସେମାନଙ୍କୁ ବନ୍ଦ କରି ରଖାଯାଇଥିଲା। ଯେତେବେଳେ ସେମାନେ ସେଥରେ କାମ କରିଥିଲେ ପ୍ରତିଶ୍ରୃତି ଅନୁଯାୟୀ ତାଙ୍କୁ ଅଗ୍ରୀମ ୨୫ ହଜାର ଟଙ୍କା ଦିଆଯାଇନଥିଲା। ସେମାନଙ୍କ ପାଖରେ ଏବେ ଟଙ୍କାଟିଏ ନଥିବା ବେଳେ ଦୀର୍ଘ ଦିନ ହେବ ଯୁବକ ମାନେ ଖାଇନଥିବା କହିଛନ୍ତି।
ତେବେ ଏନେଇ ଯୁବକମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସମସ୍ତ ଘଟଣା ବାବଦରେ ଜଣାଇବା ପରେ ମଧ୍ୟ ସେମାନଙ୍କୁ କୈଣସି ସହାୟତା ମିଳିନଥିଲା। ଏଥିପାଇଁ ସେମାନେ ତାଙ୍କୁ ତୁରନ୍ତ ହାଇଦ୍ରାବାଦରୁ ଉଦ୍ଧାର କରି ନିଜ ଗ୍ରାମକୁ ନେଇଯାନ୍ତୁ ବୋଲି ରାୟଗଡା ଜିଲ୍ଲା ପ୍ରଶାସନକୁ କରିଛନ୍ତି। ତେବେ ଘଟଣାର ଅନୁଧ୍ୟାନ କରି ତୁରନ୍ତ ଯୁବକ ମାନଙ୍କୁ ଉଦ୍ଧାର କରାଯିବ ବୋଲି ରାୟଗଡା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ : ଯେତେ ଦଳ ତିଆରି ହେଉ, ବିଜେଡ଼ିର କ୍ଷତି ହେବ ନାହିଁ: ପ୍ରମିଳା ମଲ୍ଲିକ