ମୁନରୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନିର୍ଣ୍ଣାୟକ ମୁକାବିଲାରେ ଭାରତ ସାମ୍ନାରେ ୨୧୩ ରନର ବିଶାଳ ବିଜୟ ଲକ୍ଷ୍ୟ
Khabar Odisha:Sports-cricket-Newzland-total-on-the-board-212-runs
ହାମିଲଟନ,ଫେବୃଆରୀ୧୦(ଖବର ଓଡ଼ିଶା):

କୋଲିନ ମୁନରୋଙ୍କ  ବିସ୍ଫୋରକ ଅର୍ଦ୍ଧଶତକ ଓ ଟିମ୍ ସେଇଫର୍ଟଙ୍କ ଦ୍ରୁତ୪୩ ରନର ପାଳି ବଳରେ ଏଠାରେ ଖେଳାଯାଇଥିବା ଟି-୨୦ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୨ ରନ କରିଛି। ସିରିଜ୍ ଜିତି ଇତିହାସ ରଚିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୧୩ ରନର ବିଶାଳ ବିଜୟ ଲକ୍ଷ୍ୟ। ଏହା ପୂର୍ବରୁ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ କୋଲିନ ମୁନରୋ ୪୦ଟି ବଲରୁ ବିସ୍ଫୋରକ ୭୨ ରନର ପାଳି ଖେଳିଥିଲେ।  ଭାରତ ପକ୍ଷରୁ  ସଫଳ ବୋଲର ଭାବେ କୁଲଦୀପ ଯାଦବ ଦୁଇଟି ଓ୍ଵିକେଟ୍ ନେଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ ପରି ଆଜିର ନିର୍ଣ୍ଣାୟକ ମୁକାବିଲାରେ ଭାରତ ସମ୍ମୁଖରେ ବିଶାଳ ରନ ସ୍କୋର ଛିଡ଼ା କରିଛି। ଦୁଇ ଓପନର ଟିମ୍ ସେଇଫର୍ଟ ଓ କୋଲିନ ମୁନରୋ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ଭାରତ ବୋଲରଙ୍କ ଉପରେ ପ୍ରାଧ୍ୟାନ ବିସ୍ତାର କରିଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟର ୭.୪ ଓଭରରେ ୮୦ ରନ ଯୋଡି ଦଳକୁ ବିଶାଳ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ।  ୮୦ ରନ ସ୍କୋରରେ ଟିମ୍ ସେଇଫର୍ଟଙ୍କୁ ଆଉଟ୍ କରି କୁଲଦୀପ ଏହି ଯୋଡିକୁ ଭାଙ୍ଗିଥିଲେ। ସେଇଫର୍ଟ ୨୫ଟି ବଲରୁ ୩ଟି ଲେଖାଏଁ ଚୌକା ଓ ଛକା ବଳରେ ୪୩ ରନ କରିଥିଲେ। କୁଲଦୀପଙ୍କ ବଲରେ ଧୋନୀ ଚତ୍ମକାର ଷ୍ଟମ୍ପିଂ କରି ସେଇଫର୍ଟଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। 

ଏହା ପରେ ମୁନରୋ ଓ ଅଧିନାୟକ କେନ ଓ୍ଵିଲୟମସନ ରନ ଗତିକୁ ଜାରି ରଖିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟରେ ୫୫ ରନ ଯୋଡି ଦଳର ସ୍କୋରକୁ ୧୩.୨ ଓଭରରେ ୧୩୫ରେ ପହଞ୍ଚାଇଥିଲେ। ଏହି ସ୍କୋରରେ ପୁଣି ଥରେ କୁଲଦୀପ  ଭାରତ ବୋଲରଙ୍କୁ ନିର୍ଘାତ ପ୍ରହାର କରୁଥିବା ମୁନରୋଙ୍କୁ ଆଉଟ୍ କରି ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। ମୁନରୋ ୪୦  ବଲରୁ ୫ଟି  ଲେଖାଏଁ ଚୌକା ଓ ଛକା ମାରି ୭୨ ରନର ବିସ୍ଫୋରକ ପାଳି ଖେଳିଥିଲେ। ଟି-୨୦ ଅନ୍ତରାଷ୍ଟ୍ରୀୟରେ ମୁନରୋଙ୍କ ଏହା ହେଉଛି ୯ମ ଅର୍ଦ୍ଧଶତକ।

ଏହା ପରେ ୧୫୦ ରନ ସ୍କୋରରେ ଓ୍ଵିଲିୟମସନ ବ୍ୟକ୍ତିଗତ  ୨୭ ରନ କରି ଖଲିଲ ଅହମ୍ମଦଙ୍କ ବଲରେ ଆଉଟ୍ ହୋଇଥିଲେ। ଶେଷ ଆଡକୁ ଡି ଗ୍ରାଣ୍ଡହୋମ ୧୬ ବଲରୁ ୩ ଚୌକା ଓ  ଏକ ଛକା ବଳରେ ୩୦ ରନ କରିଥିଲେ। ଏହା ପୂର୍ବରୁ ସେ  ଡାର୍ଲି ମିଚେଲଙ୍କ ସହ ଚତୁର୍ଥ ଓ୍ଵିକେଟରେ ୪୩ ରନ ଯୋଡିଥିଲେ।  ଡାର୍ଲି ମିଚେଲ ୧୧ ବଲରୁ ୧୯ ଓ ରସ ଟେଲର ୭ ବଲରୁ ୧୪ ରନ କରି ଅପରାଜିତ ରହିଥିଲେ। ଏହି ପରି ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୨ ରନ କରିଥିଲା।

ଭାରତ ପକ୍ଷରୁ କୁଲଦୀପ ଯାଦବ ୨୬ ରନ ଦେଇ ୨ଟି ସଫଳତା ପାଇଥିଲେ।  ଭୁବନେଶ୍ଵର କୁମାର ଓ ଖଲିଲ ଅହମ୍ମଦ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। 

  • Tags:

Subscribe

National International State Sports Entertainment